ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ବଡ଼ ଝଟକା ଦେଇଛନ୍ତି । ଏହି ମାନହାନି ମାମଲାରେ ରୋକ୍ ଲଗାଇବାକୁ ଦାବି କରି କେଜ୍ରିୱାଲ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଥିଲେ, ଯାହାକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି ।
ତେଣୁ ବର୍ତ୍ତମାନ କେଜ୍ରିୱାଲଙ୍କ ଉପରେ ଗୁଜରାଟରେ ଅପରାଧିକ ମାନହାନି ମକଦ୍ଦମା ଚାଲୁ ରହିବ । କେଜ୍ରିୱାଲ ନିମ୍ନ ଅଦାଲତଙ୍କ ଦ୍ୱାରା ଜାରି ସମନକୁ ଚ୍ୟାଲେଞ୍ଜ କରି ମାମଲା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହାପୂର୍ବରୁ ଗୁଜରାଟ ହାଇକୋର୍ଟ ମଧ୍ୟ କେଜ୍ରିୱାଲଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ।
ଗତ ଏପ୍ରିଲରେ ସୁପ୍ରିମକୋର୍ଟ ଏହି ମାମଲାରେ ଆପ୍ ନେତା ସଞ୍ଜୟ ସିଂଙ୍କ ଦାବି ଖାରଜ କରିଥିଲେ । ଏବେ କେଜ୍ରିୱାଲଙ୍କ ଦାବିକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି । କହି ରଖୁଛୁ, ଗୁଜରାଟ ୟୁନିଭର୍ସିଟିର ରେଜିଷ୍ଟାର ପୀୟୂଷ ପଟେଲ, ଅରବିନ୍ଦ କେଜ୍ରିୱାଲ ଓ ପାର୍ଟିର ନେତା ସଞ୍ଜୟ ସିଂଙ୍କ ଟିପ୍ପଣୀ ବିରୋଧରେ ମାନହାନି ମାମଲା ଦାୟର କରିଛନ୍ତି । ତାଙ୍କ ବିରୋଧରେ ଚାଲିଥିବା ଏହି ମାନହାନି ମାମଲା ଉପରେ ରୋକ୍ ଲଗାଇବାକୁ କେଜ୍ରିୱାଲ ଦାବି କରିଥିଲେ ।