ସ୍ୱାତୀ ମାଲିୱାଲଙ୍କୁ ଆକ୍ରମଣ ମାମଲା: ବିଭବ କୁମାରଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କୁ ମିଳିଛି ବଡ଼ ଆଶ୍ଵସ୍ତି । ସ୍ୱାତୀ ମାଲିୱାଲଙ୍କୁ ଆକ୍ରମଣ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ବିଭବ ପ୍ରାୟ ୧୦୦ ଦିନ ହେବ ଜେଲରେ ଅଛନ୍ତି । ମେ’ ୧୮ରେ ତାଙ୍କୁ ଗିରଫ କରାଯାଇଥିଲା । ଏହାପରେ ବିଭବଙ୍କ ଜାମିନ ଆବେଦନକୁ ନିମ୍ନ ଅଦାଲତ ଏବଂ ଦିଲ୍ଲୀ ହାଇକୋର୍ଟ ଖାରଜ କରିଥିଲେ । ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଉଜ୍ୱଳ ଭୂୟାଁଙ୍କ ବେଞ୍ଚ ଶୁଣାଣି ପରେ ବିଭବଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ଆମ୍‌ ଆଦ୍‌ମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ୱାଲଙ୍କୁ ଆକ୍ରମଣ ଅଭିଯୋଗରେ ବିଭବ କୁମାରଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣାକୁ ନେଇ ରାଜନୀତି ଜୋର୍‌ ଧରିଥିଲା ଏବଂ ପାର୍ଟି ବିରୋଧୀ ଦଳର ଟାଗେର୍ଟ୍‌କୁ ଆସିଥିଲା । ଚଳିତ ବର୍ଷ ଆରମ୍ଭରେ ପୋଲିସ ବିଭବ କୁମାରଙ୍କୁ ହେପାଜତକୁ ନେଇଥିଲା । ସ୍ୱାତୀ ମାଲିଓ୍ୱାଲ ନିଜେ ବିଭବଙ୍କ ନାଁରେ ମାରପିଟର ଅଭିଯୋଗ ଆଣିଥିଲେ ।

ମାଲିଓ୍ୱାଲ ଅଭିଯୋଗ କରିଥିଲେ ଯେ ସିଏମ୍‌ ହାଉସ୍‌ରେ ତାଙ୍କ ସହିତ ମାରପିଟ ହୋଇଛି ଏବଂ ତାଙ୍କୁ ଗାଳିଗୁଲଜ କରାଯାଇଛି । ପରେ ସେ ଏ ନେଇ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଥିଲେ ଏବଂ ମାମଲା ପଞ୍ଜିକୃତ କରାଇଥିଲେ । ଏହି ମାମଲାରେ ପଚରାଉଚରା ପାଇଁ ପୋଲିସ ବିଭବ କୁମାରଙ୍କୁ ହେପାଜତକୁ ନେଇଥିଲା ।

କୋର୍ଟ ବିଭବଙ୍କୁ ସିଏମ୍‌ ଅଫିସ୍‌ରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ କୌଣସି ବି ସାର୍ବଜନିକ ମଞ୍ଚରେ ମାମଲାର ଶୁଣାଣି ସମ୍ପର୍କରେ କିଛି ମନ୍ତବ୍ୟ ନ ଦେବାକୁ କୋର୍ଟ ତାଙ୍କୁ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.