କେ. କବିତାଙ୍କୁ ସୁପ୍ରିମକୋର୍ଟରୁ ଜାମିନ, ୫ ମାସ ପରେ ଜେଲରୁ ବାହାରିବେ

ଦିଲ୍ଲୀ ମଦ ଦୁର୍ନୀତିରେ ବିଆରଏସ ନେତ୍ରୀ କେ. କବିତାଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଜାମିନ ମିଳିଛି । କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାରେ ଇଡି ଏବଂ ସିବିଆଇକୁ କୋର୍ଟରୁ ବଡ଼ ଝଟକା ଲାଗିଛି । ଉଭୟ ମାମଲାରେ କବିତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏବେ ପାଞ୍ଚ ମାସ ପରେ କେ. କବିତା ଜେଲରୁ ବାହାରିବେ ।
କେ. କବିତାଙ୍କୁ ମାର୍ଚ୍ଚ ୯ରେ ଗିରଫ କରାଯାଇଥିଲା । ଜଷ୍ଟିସ ବି.ଆର. ଗଭଇ ଏବଂ ଜଷ୍ଟିସ କେ.ଭି. ବିଶ୍ୱନାଥନଙ୍କ ବେଞ୍ଚ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ କବିତା ୫ ମାସ ଧରି ଜେଲରେ ଅଛନ୍ତି । ମାମଲାରେ ୪୯୩ ସାକ୍ଷୀ ଏବଂ ୫୦୦୦୦ ଦସ୍ତାବିଜ ରହିଛି । ଜଲଦି ଟ୍ରାଏଲ ଶେଷ ହେବ ବୋଲି ଆଶା କରାଯାଉନାହିଁ । ମାମଲାର ତଦନ୍ତ ଶେଷ ହୋଇଛି । ଜାମିନ ପ୍ରଦାନ ନ କରିବାର ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି ।
ସୁପ୍ରିମକୋର୍ଟ କେ. କବିତାଙ୍କୁ ଉଭୟ ମାମଲାରେ ୧୦ ଲକ୍ଷ ଟଙ୍କା ଲେଖାଏ ଜାମିନ ବଣ୍ଡ ଭରିବାକୁ କହିଛନ୍ତି । ସେ ତାଙ୍କ ପାସପୋର୍ଟକୁ ଟ୍ରାଏଲ ଜଜଙ୍କ ନିକଟରେ ସରେଣ୍ଡର କରିବେ । ପ୍ରମାଣରେ ପରିବର୍ତ୍ତନ ଏବଂ ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ ।
ଏହି ନିଷ୍ପତ୍ତି ସହିତ ସୁପ୍ରିମକୋର୍ଟ ଟିପ୍ପଣୀ କରିଛନ୍ତି ଯେ ବିଚାରାଧୀନ ହେପାଜତକୁ ଦଣ୍ଡରେ ବଦଳାଯିବା ଉଚିତ୍ ନୁହେଁ । PMLAର ଧାରା ୪୫ ଅନୁଯାୟୀ, କବିତା ଲାଭ ପାଇବାର ହକ୍ଦାର । ଶିକ୍ଷିତ ମହିଳାଙ୍କ ସହିତ ଭେଦଭାବ କରାଯାଇପାରିବ ନାହିଁ ।