ଜୁଲାଇ ତୃତୀୟ ସପ୍ତାହରୁ ନିଟ୍ କାଉନସେଲିଂ ! ଆଜି ଆସିପାରେ ‘ସୁପ୍ରିମ’ ଶୁଣାଣି

ନୂଆଦିଲ୍ଲୀ : ନିଟ୍ ୟୁଜି ପରୀକ୍ଷାରେ ପେପର ଲିକ୍ ବ୍ୟାପକ ହୋଇନି । ସୁପ୍ରିମକୋର୍ଟରେ କେନ୍ଦ୍ର ସତ୍ୟପାଠ ଦାଖଲ କରିଛି । ଆଇଆଇଟି ମାଡ୍ରାସ ରିପୋର୍ଟକୁ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ସରକାର । ନିଟ୍ ୟୁଜି ପରୀକ୍ଷା ନେଇ ଆଇଆଇଟି ମାଡ୍ରାସ ଡାଟା ବିଶ୍ଲେଷଣ କରିଥିଲା । ଏଥିରେ ବ୍ୟାପକ ଭାବେ ମାଲପ୍ରାକ୍ଟିସ ହୋଇ ନଥିବା କିମ୍ବା କିଛି ନିର୍ଦ୍ଦିଷ୍ଟ ପ୍ରାର୍ଥୀ ଲାଭବାନ ହୋଇନଥିବା କୁହାଯାଇଛି। ତେବେ ଏନେଇ ଆଜି ସୁପ୍ରିମକୋର୍ଟ ନିଟ୍ ୟୁଜି ପରୀକ୍ଷା ମାମଲାରେ ଚୂଡାନ୍ତ ରାୟ ଶୁଣାଣି କରିପାରନ୍ତି।

କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରି କହିଛନ୍ତି, ସାନି ପରୀକ୍ଷା ଆୟୋଜନ କରିବାର ଆବଶ୍ୟକତା ନାହିଁ । ପେପର ଲିକ୍ ରୋକିବା ପାଇଁ କଡ଼ା ପଦକ୍ଷେପ ନେଉଛନ୍ତି ସରକାର । ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହେଉ କାଉନସେଲିଂ । ପ୍ରଶ୍ନପତ୍ର ଲିକ୍ କେତେ ବ୍ୟାପକ ହୋଇଛି ତାହା ଜାଣିବାକୁ ଚାହିଁଥିଲେ ସୁପ୍ରିମକୋର୍ଟ। ପୁନଃ ପରୀକ୍ଷା ଆବେଦନ ଉପରେ ଶୁଣାଣି କରି କହିଥିଲେ, ପ୍ରଶ୍ନପତ୍ର ପ୍ରଘଟରୁ କେଉଁ ଛାତ୍ରଛାତ୍ରୀ ଲାଭ ପାଇଛନ୍ତି, କେଉଁ ଛାତ୍ରଛାତ୍ରୀ ସ୍ବଚ୍ଛତା ଭାବେ ପରୀକ୍ଷା ଦେଇଛନ୍ତି, ସେମାନଙ୍କୁ ଚିହ୍ନଟ କରି ହେବ କି? ଏହା ସୁନିଶ୍ଚିତ କରିବାକୁ NTAଠାରୁ ନିର୍ଦ୍ଦିଷ୍ଟ ତଥ୍ୟ ମାଗିଥିଲେ ସୁପ୍ରିମକୋର୍ଟ।

ପ୍ରଥମେ କେବେ ପ୍ରଶ୍ନପତ୍ର ପ୍ରଘଟ ହେଲା? ପ୍ରଘଟ ପ୍ରଶ୍ନପତ୍ର କେଉଁଭଳି ଭାବରେ ବଣ୍ଟା ହେଲା? ପ୍ରଶ୍ନପତ୍ର ପ୍ରଘଟ ଓ ପରୀକ୍ଷା ସମୟ ମଧ୍ୟରେ ବ୍ୟବଧାନ କେତେ ଥିଲା ତାହା ଜାଣିବାକୁ ଚାହିଁଥିଲେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି. ପାର୍ଦ୍ଦିୱାଲ ଓ ଜଷ୍ଟିସ ମନୋଜ ମିଶ୍ର ମାମଲାର ଶୁଣାଣି କରିଥିଲେ। ଏନଟିଏ ଓ କେନ୍ଦ୍ରଠାରୁ ମଗାଯାଇଥିବା ଉତ୍ତର ଏବଂ ସିବିଆଇ ତଦନ୍ତରୁ ମିଳିଥିବା ତଥ୍ୟ ୧୦ ତାରିଖ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଆଜି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

You might also like