ଯୋଗୀ ସରକାରକୁ ସୁପ୍ରିମକୋର୍ଟଙ୍କ ଝଟକା, ଦୋକାନୀ ନେମ୍‌ ପ୍ଲେଟ ଲଗାଇବାର କୌଣସି ଆବଶ୍ୟକତା ନାହିଁ

ଯୋଗୀ ସରକାରକୁ ସୁପ୍ରିମକୋର୍ଟଙ୍କ ବଡ ଝଟକା । କାଉଡିଆଙ୍କ ଯିବା ରୁଟରେ ଦୋକାନୀଙ୍କୁ ନାମ ଫଳକ ଲଗାଇବା ଆଦେଶରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ଦୋକାନୀ କେବଳ ଖାଇବାର ପ୍ରକାର ଲେଖିପାରିବେ, ନିଜ ନାଁ ଲେଖିବାର କୌଣସି ଆବଶ୍ୟକତା ନାହିଁ ।

ଏହି ମାମଲାରେ କୋର୍ଟ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଧ୍ୟପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଏହାସହିତ ଅଦାଲତ କହିଛନ୍ତି କି, ଯାଚିକାକର୍ତ୍ତା ଅନ୍ୟ ରାଜ୍ୟକୁ ଯଦି ଏଥିରେ ସାମିଲ କରିବାକୁ ଚାହୁଁଛନ୍ତି, ତେବେ ସେସବୁ ରାଜ୍ୟକୁ ନୋଟିସ ଜାରି କରାଯିବ ।

ଏହି ମାମଲାକୁ ନେଇ ପୂର୍ବ ଶୁଣାଣିରେ ଯାଚିକାକର୍ତ୍ତାର ଓକିଲ କହିଥିଲେ, ଏହା ପୂର୍ବରୁ ୨ ଟି ରାଜ୍ୟ ଏଭଳି କରିଛନ୍ତି । ଏବେ ଆଉ ଦୁଇଟି ରାଜ୍ୟ ଏଭଳି ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାଉଡିଆ ଯାତ୍ରା ପୂର୍ବରୁ ନିର୍ଦ୍ଦେଶ ଜାରି କରିଥିଲେ । ତାଙ୍କ ନିର୍ଦ୍ଦେଶ ମୁତାବକ, ରାଜ୍ୟରେ କାଉଡ଼ିଆ ଯାତ୍ରୀଙ୍କ ମାର୍ଗରେ ଥିବା ସମସ୍ତ ଭୋଜନାଳୟରେ ଦୋକାନ ମାଲିକ ନିଜ ନାଁ ଥିବା ନେମ୍ ପ୍ଲେଟ୍ ଲଗାଇବାକୁ ବାଧ୍ୟ ।

ମୁଜାଫରନଗରରେ କାଉଡ଼ିଆମାନେ ଯାତ୍ରା କରିବାକୁ ଥିବା ରାସ୍ତାରେ ବ୍ୟବସାୟ କରୁଥିବା ଦୋକାନଗୁଡ଼ିକ ପାଇଁ ନୂଆ ନିୟମ ଜାରି କରାଯାଇଥିଲା । ବିଶେଷ କରି ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀମାନଙ୍କୁ ଦୋକାନ ଆଗରେ ବଡ଼ବଡ଼ ଅକ୍ଷରରେ ମାଲିକଙ୍କ ନାଁ ଉଲ୍ଲେଖ କରିବାକୁ କୁହାଯାଇଥିଲା । ସ୍ଥାନୀୟ ପ୍ରଶାସନ କାଉଡିଆ ଯିବା ରାସ୍ତାରେ ଦୋକାନରେ ନିଜର ନାମ ଏବଂ ସେଠାରେ କାମ କରୁଥିବା ବ୍ୟକ୍ତିଙ୍କ ନାମ ଲେଖିବାକୁ ନିର୍ଦ୍ଦେଶ ଦେଇଥିଲା । ନିୟମ ପାଳନ ନ କଲେ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ମଧ୍ୟ କୁହାଯାଇଥିଲା । ଏଭଳି ନିୟମ ପରେ ଏହାକୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଥିଲା । ଯାହା ଫଳରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।

You might also like