କୋଲକତା ଆରଜି କର ମେଡିକାଲର ସୁରକ୍ଷା ଦାୟିତ୍ବରୁ ହଟିଲା ପୋଲିସ, ନିୟୋଜିତ ହେଲା ସିଆଇଏସଏଫ

କୋଲକତା ଆରଜି କର ମେଡିକାଲ କଲେଜରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ସରକାରକୁ ବଡ ଝଟକା ଲାଗିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆର ଜି କର ମେଡିକାଲର ସୁରକ୍ଷା ଦାୟିତ୍ବରୁ ହଟିଲା କୋଲକତା ପୋଲିସ । ପୋଲିସ ସ୍ଥାନରେ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେଲା ସିଆଇଏସ୍ଏଫ । ମେଡିକାଲ ପରିସରରେ ବ୍ୟାପକ ସିଆଇଏସ୍ଏଫ ଫୋର୍ସ ମୁତୟନ ହୋଇଛନ୍ତି ।

ଅଗଷ୍ଟ ୧୪ ରାତିରେ ହସପିଟାଲରେ ଆକ୍ରମଣ ହେବା ବେଳେ କୋଲକତା ପୋଲିସର ଅବହେଳା ସାମ୍ନାକୁ ଆସିଥିଲା । ଆକ୍ରମଣକାରୀ ଜରୁରୀକାଳୀନ ଓ୍ଵାର୍ଡରେ ପଶି ସବୁକିଛି ଭଙ୍ଗାରୁଜା କରିଥିଲେ । ଏହି ମାମଲାରେ ପୋଲିସ ଭିଡିଓ ଫୁଟେଜକୁ ଆଧାର କରି ୩୦ ଜଣଙ୍କୁ ଗିରଫ କରିଛି ।

ଏପଟେ ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ତାଙ୍କୁ ଜେରା କରୁଛି ସିବିଆଇ । ଘଟଣାର ମୁଖ୍ୟ ଅଭିଯୁକ୍ତ ସଂଜୟ ରାୟ ହେବାକୁ ଥିବା ଲାଏ ଡିଟେକ୍ଟସନ ଟେଷ୍ଟ ସ୍ଥଗିତ ରହିଛି । ଟେଷ୍ଟ ପାଇଁ ଅଭିଯୁକ୍ତର ସହମତି ଆବଶ୍ୟକ ଥିବାରୁ ତାକୁ ସିଆଲଦା କୋର୍ଟରେ ହାଜର କରିବ । ଅଭିଯୁକ୍ତ ପାଇଁ ଲଢିବାକୁ ସିଆଲଦା କୋର୍ଟର ଓକିଲ ମନା କରିଛନ୍ତି । ତେଣୁ ସୌରଭ ବାନାର୍ଜୀ ଅଭିଯୁକ୍ତର ଓକିଲ ଭାବେ ଲଢିବ ବୋଲି କୋର୍ଟ ସ୍ଥିର କରିଛନ୍ତି ।

ସୂଚନାଯୋଗ୍ୟ, ଗତ ୯ ତାରିଖରେ ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହାକୁ ନେଇ ସାରା ଦେଶରେ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି । ସବୁଠି ଆନ୍ଦୋଳନ ଜୋର୍ ଧରିବା ପରେ କୋଲକାତା ଆର.ଜି. କର ମେଡିକାଲ କଲେଜର ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷ ନିଜ ପଦରୁ ଇସ୍ତଫା ଦେଇଥିଲେ  ।

ଘଟଣାକୁ ଭିନ୍ନ ରୂପ ଦେବାକୁ କଲେଜ ଅଧ୍ୟକ୍ଷ ଚେଷ୍ଟା କରିଥିଲେ ବୋଲି CJI କହିଛନ୍ତି । ଏପରିକି ପୀଡିତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ଦେଖିବାକୁ ଦିଆଯାଇନଥିବାରୁ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିବା ସହ ପଶ୍ଚିମବଙ୍ଗ ସରକାରଙ୍କୁ ଭତ୍ସନା କରିଛନ୍ତି । ସୋସିଆଲ ମିଡିଆରେ ପୀଡିତାଙ୍କ ନା ଏବଂ ଫଟୋ ଦେଖାଇଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ଜାହିର କରିଛନ୍ତି । ଏହି ମାମଲାରେ ଆଗାମୀ ଶୁଣାଣି ୨୨ ଅଗଷ୍ଟରେ ହେବ । ଗଠନ ହୋଇଥିବା ଟାକ୍ସଫୋର୍ସ ଦୁଇ ମାସ ମଧ୍ୟରେ ସମସ୍ତ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି ।