ସୁପ୍ରିମକୋର୍ଟରେ ବଡ଼ ପରିବର୍ତ୍ତନ, ରଦ୍ଦ ହେଲା ‘ଗ୍ରୀଷ୍ମକାଳୀନ ଅବକାଶ’, କୁହାଯିବ ଆଂଶିକ କାର୍ଯ୍ୟ ଦିବସ

ସୁପ୍ରିମକୋର୍ଟ ‘ଗ୍ରୀଷ୍ମକାଳୀନ ଅବକାଶ’ର ନାଁ ବଦଳାଇ ଦେଇଛନ୍ତି । ଏବେ ଏହା ‘ଆଂଶିକ କାର୍ଯ୍ୟ ଦିବସ’ ବା ‘ଆଂଶିକ ନ୍ୟାୟାଳୟ କାର୍ଯ୍ୟ ଦିବସ’ ରୂପେ ଜଣାଯିବ । ନିଜ ରିଟାୟାରମେଣ୍ଟର କିଛି ଦିନ ପୂର୍ବରୁ ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ ସୁପ୍ରିମକୋର୍ଟରେ ଗ୍ରୀଷ୍ମ ଅବକାଶ ସମାପ୍ତ କରିଦେଇଛନ୍ତି । ଏବେ କେବଳ ଆଂଶିକ କାର୍ଯ୍ୟ ଦିବସ ରହିବ ବୋଲି ସେ କହିଛନ୍ତି ।

ନୂତନ ବର୍ଷ ୨୦୨୫ର ନ୍ୟାୟାଳୟ କ୍ୟାଲେଣ୍ଡରରେ ଗ୍ରୀଷ୍ମକାଳୀନ ଅବକାଶକୁ ‘ଆଂଶିକ କାର୍ଯ୍ୟ ଦିବସ’ ରୂପେ ନାମିତ କରାଯାଇଛି । ତୁରନ୍ତ ଲାଗୁ ହୋଇଥିବା ସଂଶୋଧିତ ନିୟମ ଅନୁସାରେ, ଆଂଶିକ କାର୍ଯ୍ୟ ଦିବସ ୨୦୨୫ ମେ’ ୨୬ରୁ ଆରମ୍ଭ ହେବ ଏବଂ ପୂର୍ଣ୍ଣ କାର୍ଯ୍ୟ ଦିବସ ଜୁଲାଇ ୧୪ରୁ ଆରମ୍ଭ ହେବ ।

ସର୍ବୋଚ୍ଚ ନ୍ୟାୟାଳୟ ପ୍ରତିବର୍ଷ ଏହି ଦୁଇଟି ଅଧିବେଶନ ପାଇଁ ବସିବ । ପ୍ରଥମ ଅଧିବେଶନ ଆଂଶିକ କାର୍ଯ୍ୟ ଦିବସ ସହ ଆରମ୍ଭ ହେବ, ଯାହା ଶୀତକାଳୀନ ଅବକାଶର ଠିକ୍ ପୂର୍ବ ଦିନ ସମାପ୍ତ ହେବ । ଦ୍ଵିତୀୟ ଅଧିବେଶନ ଶୀତକାଳୀନ ଅବକାଶ ଶେଷରୁ ଆରମ୍ଭ ହେବ ।

ଏହାରି ମଧ୍ୟରେ ଆଂଶିକ କାର୍ଯ୍ୟ ଦିବସର ଅବଧି ପ୍ରଧାନ ବିଚାରପତିଙ୍କ ଦ୍ୱାରା ସ୍ଥିର କରାଯିବ, ଯିଏ ଏହି ଅବଧି ସମୟରେ ମାମଲାଗୁଡ଼ିକର ଶୁଣାଣି ପାଇଁ ଜଣେ କିମ୍ବା ଏକାଧିକ ବିଚାରପତିଙ୍କୁ ନିଯୁକ୍ତ କରିବେ । ବିଚାରପତିମାନେ ସମସ୍ତ ଆଡମିଶନ ମାମଲା, ନେଟିସ୍ ପରବର୍ତ୍ତୀ ମାମଲା, ନିୟମିତ ମାମଲା କିମ୍ବା ତତ୍କାଳ ମାମଲାଗୁଡ଼ିକର ବିଚାର କରିବେ ।

ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ ୨୦୨୨ ନଭେମ୍ବର ୯ରେ ପଦଭାର ଗ୍ରହଣ କରିଥିବା ବେଳେ ଏବେ ନଭେମ୍ବର ୧୦ରେ ପଦମୁକ୍ତ ହେବେ । ବିଚାରପତି ସଞ୍ଜୀବ ଖାନ୍ନା ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ । ସେ ନଭେମ୍ବର ୧୧ରେ ପଦଭାର ଗ୍ରହଣ କରିବେ । ଜଷ୍ଟିସ୍ ଖାନ୍ନା ବର୍ତ୍ତମାନ ସର୍ବୋଚ୍ଚ ଅଦାଲତର ସବୁଠୁ ବରିଷ୍ଠ ବିଚାରପତି ।

You might also like