ମହାକୁମ୍ଭ ଦଳାଚକଟା ଦୁଃଭାଗ୍ୟପୂର୍ଣ୍ଣ ଘଟଣା, ମାମଲାକୁ ନେଇ ଆହ୍ଲାବାଦ ହାଇକୋର୍ଟକୁ ଯାଅ : ସୁପ୍ରିମକୋର୍ଟ

ପ୍ରୟାଗରାଜ ମହାକୁମ୍ଭରେ ହୋଇଥିବା ଦଳାଚକଟାକୁ ଦୁଃଭାଗ୍ୟପୂର୍ଣ୍ଣ ଘଟଣା ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଜାନୁଆରୀ ୨୯ ତାରିଖରେ ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟାରେ ୩୦ ଜଣଙ୍କ ଜୀବନ ଯିବା ପରେ ଉତ୍ତର ପ୍ରଦେଶର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା । ମାତ୍ର ସୁପ୍ରିମକୋର୍ଟ ଏବେ ଆବେଦନକୁ ଖାରଜ କରି ଦେଇଛନ୍ତି । ଘଟଣାରେ ଅବଗତ ହେବା ପରେ ସୁପ୍ରିମକୋର୍ଟଙ୍କ ସ୍ବତନ୍ତ୍ର ଖଣ୍ଡପୀଠ ମାମଲାକୁ ନେଇ ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କମ୍ଭମେଳାରେ ହୋଇଥିବା ଅଘଟଣ ନେଇ ସୁପ୍ରିମକୋର୍ଟରେ ବିଶାଳ ତିୱାରୀ ନାମକ ଜଣେ ବ୍ୟକ୍ତି ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ହେଲେ ମାମଲାକୁ ନେଇ ଆହ୍ଲାବାଦ ହାଇକୋର୍ଟ ଯିବାକୁ କୋର୍ଟ କହିଥିଲେ । ସୁପ୍ରମିକୋର୍ଟ ଶୁଣାଣି କରି କହିଛନ୍ତି, “ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ଏବଂ ଚିନ୍ତାର ବିଷୟ, କିନ୍ତୁ ହାଇକୋର୍ଟକୁ ଯାଆନ୍ତୁ । ଏନେଇ ଏକ ନ୍ୟାୟିକ କମିସନ ଗଠନ କରାଯାଇସାରିଛି ।

ସୂଚନାଯୋଗ୍ୟ, ମୌନୀ ଅମାବାସ୍ୟାରେ ପ୍ରୟାଗରାଜରେ ପ୍ରବଳ ମାତ୍ରାରେ ଗହଳି ଲାଗିଥିଲା । ତେଣୁ ସଙ୍ଗମରେ ବୁଡ଼ ପକାଇବାକୁ ଭାରତର କୋଣ ଅନୁକୋଣରୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିଲା । ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବାକୁ କୋଟି କୋଟି ଶ୍ରଦ୍ଧାଳୁ ଏକାଠି ହୋଇଥିଲେ । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ଏହାର ଯାଞ୍ଚ କରିବ ଟିମ । ତେବେ ଏକମାସ ଭିତରେ ରିପୋର୍ଟ ପ୍ରଦାନ କରିବେ ଟିମ । ଅନ୍ୟପଟେ ମହାକୁମ୍ଭ ମେଳାରେ ପୁଣି ଥରେ ଯେପରି କୌଣସି ଅଘଟଣ ନଘଟେ ଏନେଇ ସତର୍କ ହୋଇଛନ୍ତି ଉତ୍ତରପ୍ରଦେଶ ସରକାର । ୨୯ ଜାନୁଆରୀ ଘଟଣାରେ ୩୦ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଥିଲେ । ଏହି ଘଟଣଶ ପରେ ଭିଡ଼କୁ ରୋକିବା ପାଇଁ ଭିଭିଆଇପି ପାସ୍ ଏବଂ ଗାଡିକୁ ଏଣ୍ଟ୍ରି ବନ୍ଦ କରିଦିଆଯାଇଥିଲା ।

Also Read : ମହାକୁମ୍ଭକୁ ସ୍ନାନ ପାଇଁ ଯାଉଥିବା ବେଳେ କାର୍ କୁ ଧକ୍କା ଦେଲା ଟ୍ରକ, ୬ ମୃତ, ୩ ଗୁରୁତର