ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ, ଜୁନ୍ ୨ ରେ ହିଁ ଜେଲ୍ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମଧ୍ୟବର୍ତ୍ତିକାଳୀନ ଜାମିନ ଅବଧିକୁ ଆଉ ୭ ଦିନ ପାଇଁ ବୃଦ୍ଧି କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏଥିସହ ଏହି ଆବେଦନର ତୁରନ୍ତୁ ଶଣାଣି କରିବାକୁ ସେ କୋର୍ଟକୁ ଗୁହାରି କରିଥିଲେ । ତେବେ ତାଙ୍କର ଏହି ଆବେଦନକୁ ସୁପ୍ରିମକୋର୍ଟ ତତ୍ତ୍କାଳ ଶୁଣାଣି କରିବାକୁ ମନା କରିବା ସହ ଖାରଜ କରିଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ମନୁ ସିଙ୍ଘବୀ ଜଷ୍ଟିସ ଜେକେ ମାହେଶ୍ୱରୀ ଏବଂ କେଭି ବିଶ୍ୱନାଥନଙ୍କ ବେଞ୍ଚକୁ ତତ୍କାଳ ଶୁଣାଣି କରିବା ପାଇଁ ଅନୁରୋଧ କରିଥିଲେ ।
କେଜ୍ରିଓ୍ଵାଲଙ୍କ ଓକିଲ କହିଥିଲେ, ମେଡିକାଲ ଟେଷ୍ଟ ପାଇଁ ଅନ୍ତରୀଣ ଜାମିନ ଅବଧି ୭ ଦିନ ବଢାଇବା ପାଇଁ ଜରୁରୀ । ଏହାକୁ ନେଇ ଜଷ୍ଟିସ ମାହେଶ୍ୱରୀ ପଚାରିଥିଲେ କି, ଗତ କିଛି ସପ୍ତାହରେ ଏ ବିଷୟରେ କାହିଁକି ପ୍ରଶ୍ନ କରାଯାଇନଥିଲା । ଜଷ୍ଟିସ ଦୀପାଙ୍କର ଦତ୍ତା ସେତେବେଳେ ବେଞ୍ଚରେ ସାମିଲ ଥିଲେ । ଯିଏକି ନିର୍ବାଚନ ପ୍ରଚାର ପାଇଁ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଅନ୍ତରୀଣ ଜାମିନ ଦେଇଥିଲେ ।
କେଜ୍ରିଓ୍ଵାଲ ନିଜ ଯାଚିକାରେ କହିଥିଲେ, ଗିରଫ ହେବା ପରେ ତାଙ୍କ ଓଜନ ୭ କିଲୋ କମିଛି । କେବଳ ଏତିକି ନୁହେଁ କିଟୋନ ଲେବଲ ମଧ୍ୟ ବଢିଛି । ଏହି ଲକ୍ଷଣ କୌଣସି ଗୁରୁତର ରୋଗର ହୋଇପାରେ । ତେଣୁ ଡାକ୍ତର ଯାଞ୍ଚ କରିବା ପାଇଁ PET-CT ସ୍କାନ ହେବା ସହିତ ଅନେକ ଟେଷ୍ଟ କରିବା ଜରୁରୀ । ତେଣୁ ଏସବୁକୁ ଡାକ୍ତରୀ ପରୀକ୍ଷା କରାଇବାକୁ ପଡୁଥିବାରୁ ସେ ଜାମିନ ଅବଧି ବୃଦ୍ଧି କରିବାକୁ ଚାହୁଁଛନ୍ତି । ଏଥିପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି ।
ସୂଚନାଯୋଗ୍ୟ, ଦିଲ୍ଲୀ ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ । ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଗିରଫ କରିଥିଲା । ଏହାପରେ ସେ ତିହାର ଜେଲରେ ଥିଲେ । ଲୋକସଭା ନିର୍ବାଚନ ଚାଲିଥିବାରୁ ପ୍ରଚାର ପାଇଁ ଅନ୍ତରୀଣ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଏବଂ ଅଦାଲତ ତାଙ୍କୁ ମେ ୧୦ରୁ ଜୁନ ୨ ପର୍ଯ୍ୟନ୍ତ ଜାମିନ ଦେଇଥିଲେ ।
ଦିଲ୍ଲୀ ଅବକାରୀ ନୀତି ମାମଲାରେ କେଜ୍ରିଓ୍ଵାଲଙ୍କ ବ୍ୟତୀତ ଯାଞ୍ଚ ଏଜେନ୍ସୀ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଛି । ସେ ଏବେ ଜେଲରେ ବନ୍ଦ ରହିଛନ୍ତି । ଏହି ମାମଲାରେ ପୂର୍ବରୁ ଆପ ରାଜ୍ୟସଭାର ସାଂସଦ ସଂଜୟ ସିଂ ଗିରଫ ହୋଇଥିଲେ । ସୁପ୍ରିମକୋର୍ଟରୁ ତାଙ୍କୁ ଜାମିନ ମିଳିସାରିଛି ।