ବଳବତ୍ତର ରହିବ ହେମନ୍ତ ସୋରେନଙ୍କ ଜାମିନ, ଇଡିର ପିଟିସନ ଖାରଜ କଲେ ସୁପ୍ରିମ୍‌କୋର୍ଟ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଆଶ୍ୱସ୍ତି ମିଳିଛି । ସୋରେନଙ୍କ ଜାମିନ ବଳବତ୍ତର ରହିବ । ଜାମିନ ଆଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ ହେମନ୍ତ ସୋରେନଙ୍କୁ ହାଇକୋର୍ଟରୁ ମିଳିିଥିବା ଜାମିନ ବିରୋଧରେ ଇଡିର ପିଟିସନକୁ ଖାରଜ କରିଛନ୍ତି ।

ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଜାମିନ ଆଦେଶ ବିରୋଧରେ ଇଡି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା । ସୁପ୍ରିମକୋର୍ଟ କହିଛନ୍ତି ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏକ ଭଲ ନିଷ୍ପତ୍ତି । ବିଚାରପତି ଏକ ଯୁକ୍ତିସଙ୍ଗତ ରାୟ ଦେଇଛନ୍ତି । ଆମେ ଏହି ଆଦେଶରେ ହସ୍ତକ୍ଷେପ କରିବାକୁ ଇଚ୍ଛୁକ ନୁହଁ ।

କହି ରଖୁଛୁ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନଙ୍କୁ ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଇଡି ଜାନୁୟାରୀ ୩୧ରେ ଗିରଫ କରିଥିଲା । ଗିରଫ ପୂର୍ବରୁ ହିଁ ସୋରେନ ରାଜ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ହାଇକୋର୍ଟରୁ ଜାମିନ ପାଇବା ପରେ ସେ ଜୁଲାଇ ୪ରେ ପୁଣିଥରେ ସିଏମ୍ ପଦରେ ଶପଥ ନେଇଥିଲେ ।

ହାଇକୋର୍ଟ ସୋରେନଙ୍କୁ ଜାମିନ ପ୍ରଦାନ କରି କହିଥିଲେ ଯେ ମାମଲାକୁ ଦୃଷ୍ଟିରେ ରଖି ଆବେଦନକାରୀ ସମାନ ପ୍ରକୃତିର ଅପରାଧ କରିବାର କୌଣସି ସମ୍ଭାବନା ନାହିଁ । ସୋରେନଙ୍କ ଜାମିନ ଆବେଦନକୁ ବିରୋଧ କରି ଇଡି ଅଭିଯୋଗ କରିଥିଲା ଯେ ସେ ରାଜଧାନୀର ବଡ଼ଗାମ ଅଞ୍ଚଳରେ ୮.୮୬ ଏକର ଜମି ବେଆଇନ ଭାବେ ହାସଲ କରିବା ପାଇଁ ନିଜ ପଦର ଦୁରୂପଯୋଗ କରିିଥିଲେ ।