ରାଜଦ୍ରୋହ ଆଇନ ଉପରେ ରୋକ ଲଗାଇଲେ ସୁପ୍ରିମ କୋର୍ଟ, ଜୁଲାଇ ତୃତୀୟ ସପ୍ତାହରେ ପରବର୍ତ୍ତୀ ଶୁଣାଣି

କେନ୍ୟୁଜ୍(ବ୍ୟୁରୋ):ଦେଶରେ ରାଜଦ୍ରୋହ ଆଇନ ଉପରେ ଲାଗିଲା ରୋକ । ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନ ଉପରେ ରୋକ ଲଗାଇଛନ୍ତି । ଏବେ ଆଇପିସିର ଦଫା ୧୨୪-Aରେ କୌଣସି ଏତଲା ରୁଜୁ ହୋଇପାରିବ ନାହିଁ । କେନ୍ଦ୍ର ରାଜଦ୍ରୋହ ମାମଲା ଆଇନ ଉପରେ ପୁନର୍ବିଚାର କରିବା ପର୍ଯ୍ୟନ୍ତ ଏହି ରୋକ ରହିବ । ଜୁଲାଇ ତୃତୀୟ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ କହିଛନ୍ତି ରାଜଦ୍ରୋହ ମାମଲାରେ ଯେଉଁମାନେ ଗିରଫ ହୋଇ ଜେଲରେ ଅଛନ୍ତି ଏବେ ସେମାନେ ବେଲ୍‌ ପାଇଁ କୋର୍ଟରେ ଆବେଦନ କରିପାରିବେ । ୧୬୨ ବର୍ଷ ପରେ ପ୍ରଥମ ଥର ପାଇଁ ରାଜଦ୍ରୋହ ସଂପର୍କିତ ଧାରାର କାର୍ଯ୍ୟକାରିତା ଉପରେ ରୋକ ଲାଗିଛି । ଦେଶଦ୍ରୋହ ଆଇନ ୧୮୭୦ ମସିହାରେ ବ୍ରିଟିସ ସରକାର ଅମଳରେ ଲାଗୁ ହୋଇଥିଲା ।

୧୯୪୮ରେ ସମ୍ବିଧାନରୁ ଏହାକୁ ହଟାଯାଇଥିଲା । ତେବେ ଆଇପିସିର ଦଫା ୧୨୪-A ବଳବତ୍ତର ରହିଥିଲା । ଦେଶଦ୍ରୋହ ମାମଲା ଜାମିନ ବିହୀନ ଅପରାଧ । ଏଥିରେ ଦୋଷୀଙ୍କ ବିରୋଧରେ ୩ ବର୍ଷରୁ ଆଜୀବନ କାରାଦଣ୍ଡ ସହ ଜରିମାନାର ବ୍ୟବସ୍ଥା ରହିଛି । ଏପରିକି ରାଜଦ୍ରୋହ ମାମଲା ଥିବା ବ୍ୟକ୍ତି କୌଣସି ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ ନାହିଁ । ସରକାରଙ୍କ ବିରୋଧରେ ଲିଖିତ, ମୌଖିକ କିମ୍ବା ସାଙ୍କେତିକ ଭାବେ ବିଦ୍ୱେଷ ସୃଷ୍ଟି କିମ୍ବା ଅବମାନନା କଲେ ଆଇପିସିର ଦଫା ୧୨୪-Aରେ ରାଜଦ୍ରୋହ ମାମଲା ରୁଜୁ ହେଉଥିଲା । NCRB ତଥ୍ୟ ଅନୁସାରେ ୨୦୧୯ ମସିହା ପରେ ରାଜଦ୍ରୋହ ମାମଲା ବଢି ଚାଲିଛି । ମାତ୍ର ୩ ପ୍ରତିଶତ ଅଭିଯୁକ୍ତ ଏଥିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.