ସୁପ୍ରିମକୋର୍ଟଙ୍କ ଯୋଗୀ ସରକାରଙ୍କୁ ଝଟକା, ଉତ୍ତରପ୍ରଦେଶରେ ଚାଲୁ ରହିବ ୧୬ ହଜାର ମଦ୍ରାସା

ଯୋଗୀ ସରକାରଙ୍କୁ ବଡ ଝଟକା । ଉତ୍ତରପ୍ରଦେଶରେ ଚାଲୁ ରହିବ ୧୬ ହଜାର ମଦ୍ରାସା । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ସମେତ ଜଷ୍ଟିସ ଜେ.ବି ପାରଦୀୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।

ସୁପ୍ରିମକୋର୍ଟ ‘ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଆକ୍ଟ -୨୦୦୪’କୁ ବୈଧ ଦର୍ଶାଇଛନ୍ତି, ଯାହା ମଦ୍ରାସାର ଶିକ୍ଷାନୀତିକୁ ନିୟନ୍ତ୍ରିତ କରିଥାଏ । ଏହା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ମଦ୍ରାସା ଶିକ୍ଷା ବୋର୍ଡ ଅଧିନିୟମକୁ ଖାରଜ କରିଥିଲେ ଏବଂ ଅନ୍ୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜି ହାଇକୋର୍ଟଙ୍କର ଏହି ଆଦେଶକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ଅକ୍ଟୋବର ୨୨ରେ ସୁପ୍ରିମକୋର୍ଟର ଏହି ତିନି ଜଣିଆ ଖଣ୍ଡପୀଠ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅଞ୍ଜୁମ କାଦ୍ରିଙ୍କ ଦ୍ୱାରା ଦାଖଲ ହୋଇଥିବା ମୁଖ୍ୟ ଆବେଦନ ସମେତ ୮ଟି ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ । ମାର୍ଚ୍ଚ ୨୨ରେ ଆହ୍ଲାବାଦ ହାଇକୋର୍ଟ ‘ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଆକ୍ଟ -୨୦୦୪’ ଧର୍ମନିରପେକ୍ଷତାର ନୀତି ଉଲ୍ଲଂଘନ କରୁଛି ବୋଲି ଦର୍ଶାଇ ଏହାକୁ ଅସାମ୍ବିଧାନିକ ବୋଲି ଘୋଷଣା କରିଥିଲେ ।

ମାଦ୍ରାସା ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ପାରିତ ଆଇନ ହେଲା ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଆକ୍ଟ -୨୦୦୪ । ୟୁପିରେ ପ୍ରାୟ ୨୫ ହଜାର ମାଦ୍ରାସା ଚାଲୁଥିଲେ ହେଁ ୧୬ ହଜାର ବୋର୍ଡ ଅଧିନରେ ପଞ୍ଜିକୃତ ହୋଇଛି । ତେବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ୧୬ ହଜାରୁ ଅଧିକ ମଦ୍ରସାର ୧୭ ଲକ୍ଷ ଛାତ୍ରଙ୍କ ଭବିଷ୍ୟତ ନିର୍ଭର କରୁଥିଲା ।

You might also like