ପେଗାସସ୍‌ ବିବାଦର ସତ ଖୋଜିବ ସୁପ୍ରିମକୋର୍ଟ ୩ ଜଣିଆ ବିଶେଷଜ୍ଞ କମିଟି, ୮ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ

କେନ୍ୟୁଜ୍(ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ପେଗାସସ୍‌ ବିବାଦର ସତ ଖୋଜିବ ବିଶେଷଜ୍ଞ କମିଟି। ୩ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ। ସତ୍ୟର ଅନୁସନ୍ଧାନ କରିବ ବିଶେଷଜ୍ଞ କମିଟି। ସୁପ୍ରିମକୋର୍ଟ କହିଛନ୍ତି, ଗୋପନୀୟତା ଅଧିକାରର ଉଲ୍ଲଂଘନ ହୋଇଛି କି ନାହିଁ ତାର ଅନୁଧ୍ୟାନ କରାଯିବ। ଭାରତୀୟଙ୍କ ଉପରେ ବିଦେଶୀ ନଜର ରଖିବା ଉଦ୍‌ବେଗର ବିଷୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବିବେକହୀନ ଗୁଇନ୍ଦାଗିରିକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ।

ପ୍ରଧାନ ବିିଚାରପତି ଏନଭି ରମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲି ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗୁଇନ୍ଦାଗିରି ନେଇ ଅଭିଯୋଗ ଉପରେ କେନ୍ଦ୍ର ସରକାର ଆଭିମୂଖ୍ୟ ସ୍ପଷ୍ଟ ରଖିନାହାନ୍ତି। ଏହାର ତଦନ୍ତ ପାଇଁ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ। ତିନି ଜଣିଆ ବିଶେଷଜ୍ଞ କମିଟିର ନେତୃତ୍ୱ ନେବେ ସୁପ୍ରିମକୋର୍ଟଙ୍କ ପୂର୍ବଚନ ବିଚାରପତି ଆର ଭି ରବୀନ୍ଦ୍ରନ। ସଦସ୍ୟ ରହିବେ ଆଲୋକ ଯୋଶୀ ଏବଂ ସନ୍ଦୀପ ଓବରୟ। ଏହି କମିଟି ସହ ଏକ ବୈଷୟିକ କମିଟି ଗଠନ କରାଯାଇଛି।

ଯାହାର ସଦସ୍ୟ ଅଛନ୍ତି ଡ.ନବୀନ କୁମାର ଚୌଧୁରୀ, ଡ. ପ୍ରଭାରନ ପି. ଓ ଡ.ଅଶ୍ୱିନ ଅନିଲ ଗୁମସ୍ତେ। ତଦନ୍ତ କମିଟି ୮ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ। ୮ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଆସିଥିବା ଅଭିଯୋଗର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୋର୍ଟ କହିଛନ୍ତି। ପେଗାସସ୍‌ ସ୍ପାଏୱେର ଭାରତୀୟଙ୍କ ଫୋନ୍‌ କିମ୍ବା ଅନ୍ୟ ଡିଭାଇସ୍‌ରେ ବ୍ୟବହାର କରାଯାଇଥିଲା କି? ସ୍ପାଏୱେର ଆଟାକରେ ପ୍ରଭାବିତଙ୍କ ସବିଶେଷ ତଥ୍ୟ କଣ? ୨୦୧୯ରେ ସ୍ପାଏୱେର ଜରିଆରେ ହାକିଂ ଖବର ପରେ କେନ୍ଦ୍ର ସରକାର କଣ ପଦକ୍ଷେପ ନେଇଥିଲେ? କୌଣସି ଭାରତୀୟ ନାଗରିକଙ୍କ ଉପରେ ସରକାର ସ୍ପାଏ ୱେର ବ୍ୟବହାର କରିଥିଲେ କି? କୌଣସି ଘରୋଇ ସଂସ୍ଥା କିମ୍ବା ସାଧାରଣ ବ୍ୟକ୍ତି ପେଗାସସ ସ୍ପାଏୱେର ବ୍ୟବହାର କରିଥିଲେ କି? ଏ ସବୁର ତଦନ୍ତ କରିବେ ବିଶେଷଜ୍ଞ କମିଟି।

ପେଗାସସ ସ୍ପାଏଓୟାର ଜରିଆରେ ଦେଶର ପ୍ରାୟ ୩ଶହରୁ ଅଧିକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫୋନ ନମ୍ବରର ଗୁଇନ୍ଦାଗିରି କରାଯାଇଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏହାକୁ ନେଇ ଚାରିଆଡୁ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ଉଠିଥିଲା। ପରେ ଏହାର ନିିରପେକ୍ଷ ତଦନ୍ତ ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ୧୫ଟି ଆବେଦନ ଦାୟର ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.