ସୁରଟ ଅଘଟଣ : ୬ ମହଲା ବିଲିଡିଂ ଭୁଶୁଡିବାରୁ ୭ ମୃତ, ୧୫ରୁ ଅଧିକ ଆହତ

ଲଗାଣ ବର୍ଷା ଯୋଗୁ ଗୁଜରାଟ ସୁରଟର ସଚିନ ଅଞ୍ଚଳରେ ଏକ ୬ ମହଲା ବିଲିଡିଂ ଭୁଶୁଡି ପଡିଛି । କୋଠ ଭୁଶୁଡ଼ିବା ଯୋଗୁ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୫ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ଆହୁରି ଅନେକ ଭଗ୍ନାବଶେଷ ତଳେ ଦବି ରହିଥିବା ଆଶଙ୍କା କରାଯାଉଛି । ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ସୁରତର ମୁଖ୍ୟ ଅଗ୍ନିଶମ ଅଧିକାରୀ ବସନ୍ତ ପାରିକ କହିଛନ୍ତି, ରାତି ତମାମ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭଗ୍ନାବଶେଷ ତଳୁ ୭ଟି ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ କହିଛି ଯେ, ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେବି ଅନେକ ଲୋକେ ଫସିରହିଛନ୍ତି ବୋଲି ଆଶଙ୍କା କରାଯାଉଛି ।

ସୂଚନା ମୁତାବକ, ଶନିବାର ସନ୍ଧ୍ୟାରେ ସଚିନ ପାଲି ଗାଁରେ ଥିବା ଏକ ୬ମହଲା କୋଠା ହଠାତ୍ ଭୁଶୁଡି ପଡ଼ିଥିଲା । ଫଳରେ ଏହା ତଳେ ଅନେକ ଲୋକ ଦବି ଯାଇଥିଲେ । ଭଗ୍ନାବଶେଷ ତଳୁ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କୁହାଯାଉଛି ଯେ, ଏହି କୋଠାଟିକୁ ୨୦୧୭ରେ ତିଆରି କରାଯାଇଥିଲା । ୩୨ଟି ଫ୍ଲାଟ୍ ଥିବା ଏହି ବିଲ୍ଡିଂରେ ଅଧିକାଂଶ ପରିବାର ଭଡାରେ ରହୁଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ଥିଲେ । ଏହି ବିଲ୍ଡିଂର ମାଲିକ ଜଣେ ବିଦେଶିନୀ ଏବଂ ଅନେକ ବ୍ୟକ୍ତି ଏହି ରୁମ ପାଇଁ ଭଡ଼ା ଦେଉଥିଲେ । ଦୀର୍ଘଦିନ ହେବ କୋଠାଟି ଜରାଜୀର୍ଣ୍ଣ ହୋଇ ପଡ଼ିଥିଲା । ଲଗାଣ ବର୍ଷା କାରଣରୁ କୋଠାଟି ଭୁଶୁଡ଼ିଛି । ଘର ମଧ୍ୟରେ କେତେ ଜଣ ଲୋକ ରହୁଥିଲେ ତାହା ସ୍ପଷ୍ଟ ହୋଇନାହିଁ ।  ତେବେ ପ୍ରଶାସନ ପକ୍ଷରୁ ୩ ମାସ ପୂର୍ବରୁ ଏହି ବିଲିଡିଂକୁ ଖାଲି କରିବାକୁ ନୋଟିସ ଦିଆଯାଇଥିଲା ।

 

You might also like