ନୂଆଦିଲ୍ଲୀ : ଭାରତରେ ମଙ୍କିପକ୍ସ । ଚିହ୍ନଟ ହେଲ ପ୍ରଥମ ସନ୍ଦିଗ୍ଧ । ନିକଟରେ ଭାରତ ଆସିଥିବା ଜଣେ ପୁରୁଷ ରୋଗୀଙ୍କ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ଅବଗତ କରାଯାଇଛି । ସଂକ୍ରମିତ ଜଣକ ନିକଟରେ ଏମପକ୍ସ ସଂକ୍ରମିତ ଦେଶରୁ ଫେରିଛନ୍ତି । ଚିହ୍ନଟ ରୋଗୀଙ୍କୁ ଏକ ନିର୍ଦ୍ଧିଷ୍ଟ ଡାକ୍ତରଖାନାରେ ପୃଥକ ବ୍ୟବସ୍ଥାରେ ରଖାଯାଇଛି । ରୋଗୀଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ଏହାକୁ ନେଇ ଚିନ୍ତିତ ହେବାର କୌଣସି ଅବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର କହିଛି । ସନ୍ଦିଗ୍ଧ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଗୋପନୀୟ ରଖାଯାଇଛି । ସେହିପରି ନିର୍ଦ୍ଧାରିତ ପ୍ରୋଟୋକଲ ଅନୁଯାୟୀ ମାମଲାରେ ସମୀକ୍ଷା କରାଯିବା ସହ ପଦକ୍ଷେପ ଗ୍ରହଣ କରାଯାଉଛି କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ ଲାଗି ଉଦ୍ୟମ ଜାରି ରହିଛି ।
ଗତ ସପ୍ତାହରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପ୍ରଥମେ ମଙ୍କିପକ୍ସ ସ୍ଥିତି ସମୀକ୍ଷା କରିବାର କିଛି ଦିନ ପରେ ଦେଶରେ ଏହି ଭୂତାଣୁର ପ୍ରଥମ ସନ୍ଦିଗ୍ଧ ସାମ୍ନାକୁ ଆସିଛି । ଭୂତାଣୁ ଜନିତ ରୋଗ ଏମପକ୍ସ ରୋଗୀଠାରେ ୨ରୁ ୪ ସପ୍ତାହ ପର୍ଯ୍ୟନ୍ତ ରହିଥାଏ । ରୋଗୀର ରକ୍ତ, ମଳ-ମୁତ୍ର, ଲାଳ ଓ ଶରୀରରୁ ବାହୁରଥିବା କୌଣସି ସ୍ରାବରେ ଏହି ଭୂତାଣୁ ଥାଆନ୍ତି । ତେଣୁ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖାଯିବା ଓ ସେ ମିଶିଥିବା ବ୍ୟକ୍ତଙ୍କର କଣ୍ଟାଟ-ଟ୍ରେସିଂ କରାଯିବା ମଧ୍ୟ ଜରୁରୀ ।
ମଙ୍କିପକ୍ସ ଲକ୍ଷଣ
ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଘୋଳାବିନ୍ଧା ହୁଏ । ହାଡ଼ଫୁଟି ଭଳି ଦେହସାରା ଫଳିଯାଏ । ଏହି ଲକ୍ଷଣ ୨ ରୁ ୪ ସପ୍ତାହ ଯାଏଁ ରହିଥାଏ । ଶିଶୁ, ଗର୍ଭବତୀ, କ୍ଷୀଣ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ ବିପଦ । ଏହାର କୌଣସି ସିଧାସଳଖ ଚିକିତ୍ସା ନାହିଁ । ପୋଷକ ଖାଦ୍ୟ, ଯଥେଷ୍ଟ ପାଣି ପିଇବା ଓ ପର୍ଯ୍ୟାପ୍ତ ନିଦ ପାଇଁ ପରାମର୍ଶ ଦିଆଯାଇଛି । ଚର୍ମକୁ ନକୁଣ୍ଡାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।
ସୂଚନା ଅନୁସାରେ ଗତ ଅଗଷ୍ଟ ୧୪ ତାରିଖରେ ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ଯ ସଂଗଠନ ପକ୍ଷରୁ ହେଲଥ ଏମର୍ଜେନ୍ସି ଘୋଷଣା କରାଯାଇଥିଲା । ପାଖାପାଖି ୧୭ଟି ଦେଶକୁ ମଙ୍କିପକ୍ସ ବିସ୍ତାର କରିସାରିଛି ୨୦୨୨ରେ ଭାରତରେ କିଛି ଜଣ ସଂକ୍ରମିତ ହୋଇଥିଲେ ।