ପୁଣେ-ନାସିକ ରାଜପଥରେ ଦୁର୍ଘଟଣା: ବିଧାୟକଙ୍କ ପୁତୁରାଙ୍କ କାର୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ମହାରାଷ୍ଟ୍ରର ପୁଣେରେ ଏକ କାର୍‌ ଓ ବାଇକ୍‌ ମଧ୍ୟରେ ଜୋର୍‌ଦାର ଧକ୍କା ହୋଇଛି । ଏଥିରେ ୨୦ ବର୍ଷୀୟ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତ ବାଇକ୍‌ ଆରୋହୀଙ୍କ ନାମ ସୁନିଲ ଭାଲେରାଓ । ସେପଟେ ଯେଉଁ କାର୍‌ ବାଇକ୍‌ଟିକୁ ଧକ୍କା ଦେଇଛି, ତାହା ଜଣେ ବିଧାୟକଙ୍କ ପୁତୁରାଙ୍କର ବୋଲି ଜଣାପଡ଼ିଛି । ସେ ନିଜେ କାର୍‌ ଚଲାଉଥିଲେ । ଏହି ଘଟଣାରେ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ପୋଲିସ ସୂଚନା ମୁତାବକ, ଶନିବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଅମ୍ବେଗାଁ ତାଲୁକାର ଏକଲହରେ ଗାଁ ନିକଟସ୍ଥ ପୁଣେ-ନାସିକ ରାଜପଥରେ ଏକ ଦ୍ରୁତଗାମୀ କାର୍‌ ବାଇକ୍‌କୁ ଜୋର୍‌ଦାର ଧକ୍କା ଦେଇଥିଲା । ସୁନିଲ ଭାଲେରାଓ ନାମକ ଯୁବକ ବାଇକ୍‌ରେ ଯାଉଥିବା ବେଳେ ବିଧାୟକଙ୍କ ପୁତୁରା ନିଜ ଏସ୍‌ୟୁଭି କାର୍‌ରେ ଆସୁଥିଲେ । ଏତିକି ବେଳେ କାର୍‌ ଓ ବାଇକ୍‌ ମଧ୍ୟରେ ଧକ୍କା ହୋଇଥିଲା ।

ଏହି ଦୁର୍ଘଟଣାରେ ବାଇକ୍‌ ଆରୋହୀ ସୁନିଲ ଗୁରୁତର ହୋଇପଡ଼ିଥିଲେ, ଫଳରେ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଦୁର୍ଘଟଣା ବିଷୟରେ ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିଲା ଏବଂ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏବେ ପୋଲିସ ବିଧାୟକଙ୍କ ପୁତୁରାଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଜଣକ ବିଧାୟକଙ୍କ ବଡ଼ଭାଇଙ୍କର ପୁଅ ବୋଲି ଜଣାପଡ଼ିଛି ।

You might also like