ମହାରାଷ୍ଟ୍ର: କରୋନା ଟେଷ୍ଟ ବାହାନାରେ ମହିଳାଙ୍କ ପ୍ରାଇଭେଟ୍ ପାର୍ଟରୁ ନେଇଥିଲେ ସ୍ୱାବ୍ ନମୁନା; ଏବେ ଦୋଷୀଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କଲେ କୋର୍ଟ!

କରୋନା ମହାମାରୀରେ ସ୍ୱାସ୍ଥ୍ୟ କର୍ମୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି, ଏଥିପାଇଁ ସେମାନଙ୍କୁ କରୋନା ୱାରିୟର୍ସ ବା କରୋନା ଯୋଦ୍ଧାର ମାନ୍ୟତା ଦିଆଯାଇଛି। ସେପଟେ ଏମିତି ବି କିଛି କର୍ମଚାରୀ ଅଛନ୍ତି, ଯାହାଙ୍କ କାର୍ଯ୍ୟ ପୂରା ସମୁଦାୟର ପ୍ରତିଷ୍ଠାକୁ ଖରାପ କରି ଦେଇଥାଏ। ଏଭଳି ଏକ ମାମଲା ଏବେ ମହାରାଷ୍ଟ୍ରର ଅମରାବତୀରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ଲ୍ୟାବ ଟେକ୍ନିସିଆନ କରୋନା ଟେଷ୍ଟ ନାଁରେ ମହିଳାଙ୍କ ପ୍ରାଇଭେଟ୍ ପାର୍ଟରୁ ସ୍ୱାବ୍ ନମୁନା ନେଇଥିଲେ। ଏହି ମାମଲାରେ ବର୍ତ୍ତମାନ ଅମରାବତୀ ସେସନ୍ସ କୋର୍ଟ ଦୋଷୀଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
କରୋନାର ପ୍ରଥମ ଲହର ସମୟରେ ହୋଇଥିଲା ଏହି ଘଟଣା
ମହାରାଷ୍ଟ୍ରରେ କରୋନାର ପ୍ରଥମ ଲହର ସମୟରେ ଅମରାବତୀରେ ଜଣେ ମଲ୍ କର୍ମଚାରୀଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ମଲ୍ର ସମସ୍ତ କର୍ମଚାରୀଙ୍କୁ ବଡନେରାସ୍ଥିତ ଟ୍ରମା କେୟାର ସେଣ୍ଟର ପଠାଯାଇଥିଲା। ସମସ୍ତ କର୍ମଚାରୀଙ୍କର ଟେଷ୍ଟ ନେବା ପରେ ଲ୍ୟାବ ଟେକ୍ନିସିଆନ ଅଲକେଶ ଦେଶମୁଖ ଜଣେ ମହିଳା କର୍ମଚାରୀଙ୍କୁ କହିଥିଲେ ଯେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି ଏବଂ ପରବର୍ତ୍ତୀ ପରୀକ୍ଷା ପାଇଁ ଲ୍ୟାବ ଆସିବାକୁ ପଡ଼ିବ। ଏହାପରେ ସେ ଲ୍ୟାବରେ ମହିଳାଙ୍କ ପ୍ରାଇଭେଟ୍ ପାର୍ଟରୁ ସ୍ୱାବ ନମୁନା ନେଇଥିଲେ।
ଏଭଳି ଉପାୟରେ ନମୁନା ନିଆଯିବା ପରେ ମହିଳା ଜଣକ ସନ୍ଦେହ କରିଥିଲେ। ଏ ନେଇ ସେ ତାଙ୍କ ଭାଇଙ୍କୁ ପ୍ରଥମେ ଜଣାଇଥିଲେ। ପରେ ଯେତେବେଳେ ଏ ବାବଦରେ ଜିଲ୍ଲା ଡାକ୍ତରଖାନାକୁ ପଚରା ଯାଇଥିଲା, ତ ଜଣା ପଡ଼ିଥିଲା କି, ନମୁନା ଏହିଭଳି ଭାବେ ନିଆଯାଇ ନ ଥାଏ। ଏହାପରେ ମହିଳା ଜଣକ ବଡନେରା ଥାନାରେ ସମ୍ପୃକ୍ତ ଲ୍ୟାବ ଟେକ୍ନିସିଆନଙ୍କ ବିରୋଧରେ ଅଭିଯୋଗ କରିଥିଲେ। କୋର୍ଟରେ ଏହି ମାମଲା ଗତ ଦେଢ଼ ବର୍ଷ ଧରି ଚାଲିଥିଲା।
ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା
ଏବେ ଅମରାବତୀ ସେସନ୍ସ କୋର୍ଟ ନିଜର ରାୟ ଶୁଣାଇ ଲ୍ୟାବ ଟେକ୍ନିସିଆନଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ୧୦ ହଜାର ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। କହି ରଖୁଛୁ ଯେ ଏହି ଘଟଣା ୨୦୨୦ ଜୁଲାଇ ୨୦ରେ ଘଟିଥିଲା। ସେହି ସମୟରେ ଏହି ଘଟଣାକୁ ବିରୋଧ କରି ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇଥିଲେ ଏବଂ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦାବି କରିଥିଲେ।