‘ସ୍ୱିଗି’ ଦେଶର ୫ ବଡ଼ ସହରରେ ବନ୍ଦ କଲା ସର୍ଭିସ୍! କମ୍ପାନୀର ଏହି ନିଷ୍ପତ୍ତିରେ ଲୋକଙ୍କୁ ହୋଇପାରେ ସମସ୍ୟା

‘ସ୍ୱିଗି’ ବନ୍ଦ କଲା ନିଜର ସର୍ଭିସ୍। ଅନଲାଇନ୍ ଫୁଡ୍ ଡେଲିଭରୀ କମ୍ପାନୀ ‘ସ୍ୱିଗି’ ନିଜର ଏକ ଖାସ୍ ସର୍ଭିସ୍କୁ ସବୁଦିନ ପାଇଁ ବନ୍ଦ କରି ଦେଇଛି। ଦେଶର ୫ ବଡ଼ ସହରରେ କମ୍ପାନୀ ନିଜର ସେବା ବନ୍ଦ କରିବାକୁ ଘୋଷଣା କରିଛି। ତେବେ କମ୍ପାନୀର ଏହି ନିଷ୍ପତ୍ତି ଯୋଗୁ ବର୍ତ୍ତମାନ ଦିଲ୍ଲୀ ଏନ୍ସିଆରରେ ରହୁଥିବା ଲୋକମାନଙ୍କୁ ଅନଲାଇନ ସାମଗ୍ରୀ ମଗାଇବାରେ ନାନା ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ।
ସ୍ୱିଗି ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ଦିଲ୍ଲୀ ଏନ୍ସିଆର, ମୁମ୍ବାଇ, ଚେନ୍ନାଇ, ପୁଣେ ଏବଂ ହାଇଦ୍ରାବାଦରେ ‘ସୁପର ଡେଲୀ ସର୍ଭିସ୍’ (Supr Daily) କୁ ବନ୍ଦ କରି ଦିଆଯାଇଛି। ତେଣୁ ବର୍ତ୍ତମାନ ଏହି ସହରଗୁଡ଼ିକରେ ୧୨ ମେ’ରୁ ଗ୍ରାହକମାନଙ୍କୁ ସୁପର ଡେଲୀ ସର୍ଭିସ୍ ମାଧ୍ୟମରେ ଆଉ ସାମଗ୍ରୀ ଡେଲିଭର୍ କରାଯିବ ନାହିଁ। କୁହାଯାଉଛି କି, କମ୍ପାନୀ ଏହା ଜାଗାରେ ଇନ୍ଷ୍ଟା ମାର୍ଟ (Insta Mart) ଆରମ୍ଭ କରିଛି।
୧୦ ମେ’ରୁ ଅର୍ଡର ନେବା ବନ୍ଦ କରିଛି କମ୍ପାନୀ
ସ୍ୱିଗି ସୁପର ଡେଲୀ ସର୍ଭିସ୍ ଅଧୀନରେ ନୂଆ ଅର୍ଡର ନେବା ୧୦ ମେ’ରୁ ହିଁ ବନ୍ଦ କରି ଦିଆଯାଇଛି। ୧୧ ଏବଂ ୧୨ ମେ’ରେ ସ୍ୱିଗି ତରଫରୁ ପୁରୁଣା ଅର୍ଡର ଡେଲିଭରୀ କରାଯିବ। ଯେଉଁ ଗ୍ରାହକମାନଙ୍କ ଓ୍ଵାଲେଟ୍ରେ ପଇସା ବାକି ଅଛି, ସେମାନଙ୍କ ଆକାଉଣ୍ଟକୁ ୫ ରୁ ୭ ଦିନ ଭିତରେ ରିଫଣ୍ଡ୍ ଆସିଯିବ। କମ୍ପାନୀ ତରଫରୁ ଏ ନେଇ ଗ୍ରାହକମାନଙ୍କୁ ମେଲ୍ ଜରିଆରେ ସୂଚନା ଦିଆଯାଇଛି। କିନ୍ତୁ ଖାସ୍ କଥା ହେଉଛି, କମ୍ପାନୀର ସୁପର ଡେଲୀ ସର୍ଭିସ୍ ବେଙ୍ଗାଲୁରୁରେ ଜାରି ରହିବ। ଏଠାରେ ଏହାକୁ ବଢ଼ାଇବା ପାଇଁ ଚେଷ୍ଟା କରାଯାଉଛି।
କ’ଣ ଏହି ସୁପର ଡେଲୀ ସର୍ଭିସ୍
ସ୍ୱିଗିର ସୁପର ଡେଲୀ ସର୍ଭିସ୍ ଅଧୀନରେ କ୍ଷୀର, ଗ୍ରୋସରୀ ବ୍ୟତୀତ ଦୈନନ୍ଦିନର ଅତ୍ୟାବଶ୍ୟକ ଜିନିଷ ଗୁଡ଼ିକୁ ହୋମ୍ ଡେଲିଭରୀ କରାଯାଇଥାଏ। ଏହା ଅଧୀନରେ ସୁବିଧା ପାଇବା ପାଇଁ ଗ୍ରାହକ ମାନଙ୍କୁ ସବ୍ସକ୍ରିପ୍ସନ ନେବାକୁ ପଡ଼ିଥାଏ। ସ୍ୱିଗି ମୋବାଇଲ ଆପ୍ଲିକେସନରେ ରେଜିଷ୍ଟ୍ରେସନ ପରେ ଗ୍ରାହକ ମାନେ ଡେଲୀ ଜିନିଷଗୁଡ଼ିକୁ କାର୍ଟରେ ପକାଇ ଥାଆନ୍ତି। ଆଉ ପ୍ରତିଦିନ ସକାଳେ ଉକ୍ତ ସାମଗ୍ରୀଗୁଡ଼ିକ ଘରେ ପହଞ୍ଚି ଯାଇଥାଏ।
କ୍ଷତି ଯୋଗୁ ବନ୍ଦ ହେଲା ସର୍ଭିସ୍
ତେବେ ସ୍ୱିଗି ଦେଶର ୫ ବଡ଼ ସହରରେ ସର୍ଭିସ୍ ବନ୍ଦ କରିବା ପଛର ମୁଖ୍ୟ କାରଣ ମଧ୍ୟ ଜଣାଇଛି। ଗ୍ରାହକମାନଙ୍କ ପାଖକୁ ପଠାଯାଇଥିବା ମେଲ୍ରେ କମ୍ପାନୀ କହିଛି ଯେ କ୍ଷତି ଯୋଗୁ ଏହି ସେବାକୁ ସବୁଦିନ ପାଇଁ ବନ୍ଦ କରାଯାଉଛି।