ଭାରତକୁ ସୁଇଜରଲାଣ୍ଡର ବଡ଼ ଝଟ୍‌କା : ‘ମୋଷ୍ଟ ଫେଭର୍ଡ ନେସନ’ ମାନ୍ୟତା ପ୍ରତ୍ୟାହାର

ସୁଇଜରଲାଣ୍ଡ ସରକାର ଭାରତୀୟ କମ୍ପାନୀଗୁଡ଼ିକୁ ବଡ଼ ଝଟ୍‌କା ଦେଇଛନ୍ତି । ଭାରତକୁ ଦିଆଯାଇଥିବା ମୋଷ୍ଟ ଫେଭର୍ଡ ନେସନ (ଏମ୍‌ଏଫ୍‌ଏନ୍‌) ମାନ୍ୟତା ପ୍ରତ୍ୟାହାର କରିଛନ୍ତି । ସୁଇସ୍‌ ସରକାରଙ୍କ ସୂଚନା ଅନୁଯାୟୀ, ଏହି ନିଷ୍ପତ୍ତି ଆସନ୍ତା ବର୍ଷ ଅର୍ଥାତ ୨୦୨୫ ଜାନୁଆରୀ ୨ ତାରିଖରୁ କାର୍ଯ୍ୟକାରୀ ହେବ । ଏହି ନିଷ୍ପତି ଅନୁସାରେ, ସୁଇଜରଲାଣ୍ଡ ଏବଂ ୟୁରୋପୀୟ ୟୁନିଅନରେ କାର୍ଯ୍ୟ କରୁଥିବା ସମସ୍ତ ଭାରତୀୟ କମ୍ପାନୀଗୁଡ଼ିକୁ ପୂର୍ବ ଅପେକ୍ଷା ଅଧିକ ଟିକସ ଦେବାକୁ ପଡ଼ିବ । ସୁଇଜରଲାଣ୍ଡ ଜାନୁୟାରୀ ୧ ରୁ ଭାରତୀୟ କମ୍ପାନୀଗୁଡ଼ିକର ଆୟ ଉପରେ ୧୦ ପ୍ରତିଶତ ଟିକସ ଲାଗୁ କରିବ ।

ଡବଲ ଟ୍ୟାକ୍ସ ଆଭଏଡାନ୍ସ ଏଗ୍ରିମେଣ୍ଟ (ଡିଟିଏଏ) ଅଧୀନରେ ସୁଇଜରଲାଣ୍ଡ ଭାରତକୁ ଏମ୍‌ଏଫ୍‌ଏନ୍‌ ରାଷ୍ଟ୍ର ମାନ୍ୟତା ଦେଇଥିଲା । ହେଲେ, ଡିସେମ୍ବର ୧୧ ରେ ସୁଇଜରଲାଣ୍ଡର ଅର୍ଥ ବିଭାଗ ଏକ ବିବୃତ୍ତି ଜାରି କରି ଭାରତ ସହିତ ଡିଟିଏଏ ମାମଲାରେ ଏମ୍‌ଏଫ୍‌ଏନ୍‌ ସ୍ଥିତିକୁ ସ୍ଥଗିତ ରଖାଯାଇଥିବା ଘୋଷଣା କରିଛି । ଭାରତୀୟ ସୁପ୍ରିମକୋର୍ଟଙ୍କ ଏକ ନିଷ୍ପତ୍ତି ପରେ ଏହି ପଦକ୍ଷେପ ନିଆଯାଇଥିବା ଘୋଷଣାରେ କୁହାଯାଇଛି । ସୁପ୍ରିମକୋର୍ଟ କହିଥିଲେ ଯେ, ଡିଟିଏଏ ଲାଗୁ କରିବାକୁ ହେଲେ ଭାରତୀୟ ଆୟକାର ଆଇନ୍‌ ଅଧୀନରେ ସ୍ପଷ୍ଟ ସୂଚନା ଦିଆଯିବା ଜରୁରୀ । ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଧ୍ୟାନରେ ରଖି ସୁଇଜରଲାଣ୍ଡ ସରକାର ଏହି ପଦକ୍ଷେପ ନେଇଛନ୍ତି ।