ସିରିଆ ରାଷ୍ଟ୍ରପତିଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ, ଦେଶ ଛାଡି ପଳାୟନ କରୁଥିଲେ
ସିରିଆରେ ବିଦ୍ରୋହୀ କବଜା କରିବା ପରେ ଦେଶ ଛାଡି ପଳାଉଥିବା ସିରିଆ ରାଷ୍ଟ୍ରପତି ବସର ଅଲ-ଅସଦଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ବିଦ୍ରୋହୀଙ୍କ ଆକ୍ରମଣ ପରେ ସିରିଆ ରାଷ୍ଟ୍ରପତି ବସର ଅଲ-ଅସଦ ଏବଂ ତାଙ୍କ ପରିବାର ରାଜଧାନୀ ଦାମାସସ୍କ ଛାଡ଼ି ପଳାୟନ କରିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ବିମାନ ଆକାଶରେ ୫୦୦ ମିଟର ଉଚ୍ଚରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହାର ଭଗ୍ନାବଶେଷ ମଧ୍ୟ ଉଦ୍ଧାର କରାଯାଇଛି । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ରାଡାରରୁ ନିଖୋଜ ହୋଇଯାଇଥିଲା । ସେ ତାଙ୍କ ପରିବାର ସହ ଦେଶ ଛାଡୁଥିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।
ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ବିଦ୍ରୋହୀମାନେ ହୋମ୍ସ ସହରକୁ ଦଖଲ କରିଛନ୍ତି । ହୋମ୍ସରେ ରାଷ୍ଟ୍ରପତି ବସର ଅଲ-ଅସଦଙ୍କ ପିତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ଭଙ୍ଗାଯାଇଛି । ଲୋକଙ୍କୁ ସୁରକ୍ଷା ଦେବାରେ ସିରିଆ ସେନା ବିଫଳ ହୋଇଛି ।
୨୦୦୦ ମସିହାରୁ ୨୦୨୪ ପର୍ଯ୍ୟନ୍ତ ସିରିଆର ରାଷ୍ଟ୍ରପତି ଥିଲେ ଅସାଦ । ଇସଲାମିଷ୍ଟ ଗ୍ରୁପ୍ ହୟାତ ତାହାରିର ଅଲ-ଶାମ୍ -HTS ନେତୃତ୍ବରେ ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି ବିଦ୍ରୋହୀ । ହମ୍ସ ସହର ଅକ୍ତିଆର ପରେ ଆଜି ଦାମାସ୍କସରେ ପଶିଥିଲେ। ଦାମାସ୍କସରେ ଟିଭି ଓ ରେଡିଓ ଷ୍ଟେସନକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି ବିଦ୍ରୋହୀ । ଦାମାସ୍କସ ଏୟାରପୋର୍ଟରେ ଅରାଜକତାର ଦୃଶ୍ୟ । ସହରରେ ବିଦ୍ରୋହୀଙ୍କ ପ୍ରବେଶ ପରେ ଲୋକେ ପଳାଇ ଯିବାକୁ ବ୍ୟଗ୍ର । ବିମାନ ବନ୍ଦରକୁ ଛୁଟିଛନ୍ତି ବହୁ ସଂଖ୍ୟାରେ ଲୋକ । ଗୋଟିଏ ସପ୍ତାହ ପୂର୍ବରୁ ହଠାତ ଆକ୍ରମଣ ଆରମ୍ଭ କରିଥିଲେ ବିଦ୍ରୋହୀ । ପ୍ରଥମ ଆଲେପ୍ପୋ ସହର ଉପରେ ଆରମ୍ଭ କରିଥିଲେ ହମଲା ।
ବିଦ୍ରୋହୀମାନେ ଜେଲରେ କଏଦୀଙ୍କୁ ମୁକ୍ତ କରୁଛନ୍ତି । ଲୋକମାନେ ସରକାର ବିରୋଧରେ ପ୍ରଦର୍ଶନ ଜାରି କରିଛନ୍ତି । ଡୋମାରେ ସୈନିକ ୨ ଜଣ ପ୍ରଦର୍ଶନକାରୀଙ୍କୁ ହତ୍ୟା କରିଛି । ବିଦ୍ରୋହୀମାନେ କବଜା କରିବାରୁ ସୈନିକ ନିଜର ଅସ୍ତ୍ରଶସ୍ତ୍ର ଡିପୋ ଉଡାଇ ଦେଇଛନ୍ତି ।