ମୁମ୍ବାଇ: ହିଜାବ ପରେ କଲେଜରେ ଫଟା ଜିନ୍ସ ଏବଂ ଟି ସାର୍ଟ ମନା, ଏହି କଲେଜରେ ଲାଗୁ ହେଲା ଡ୍ରେସ କୋଡ୍‌

ମୁମ୍ବାଇର ଆଚାର୍ଯ୍ୟ ମରାଠା କଲେଜରେ ହିଜାବ ବ୍ୟାନ୍‌ ପରେ ଫଟା ଜିନ୍ସ, ଟି ସାର୍ଟ କିମ୍ବା ଅଶ୍ଳୀଳ ପୋଷାକ ପିନ୍ଧିବାକୁ ବାରଣ କରାଯାଇଛି । ଏଥିପାଇଁ କଲେଜ ତରଫରୁ ଏକ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ମୁତାବକ, ଏବେ କଲେଜକୁ କୌଣସି ଛାତ୍ର ଫଟା ଜିନ୍ସ, ଟି ସାର୍ଟ କିମ୍ବା ଅଶ୍ଳୀଳ ଡ୍ରେସ ପିନ୍ଧି ଆସିପାରିବେ ନାହିଁ । କଲେଜ କର୍ତ୍ତୃପକ୍ଷ ପିଲାଙ୍କ ଫଟା ଜିନ୍ସ ଏବଂ ଟି ସାର୍ଟ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏବେ ପୁଅମାନେ କେବଳ ଫର୍ମାଲ କପଡା ଏବଂ ଝିଅଙ୍କ ପାଇଁ ଡ୍ରେସ କୋଡ୍‌ ଲାଗୁ ହୋଇଛି ।

ଗତ କିଛିଦିନ ତଳେ ମୁମ୍ବାଇ ଚେମ୍ବୁର ସ୍ଥିତ ଆଚାର୍ଯ୍ୟ କଲେଜରେ ହିଜାବକୁ ନେଇ ଖୁବ୍‌ ବିବାଦ ଦେଖିବାକୁ ମିଳିଥିଲା । ଏଠାରେ ୯ ଯୁବତୀ ବମ୍ବେ ହାଇକୋର୍ଟରେ ଏକ ଯୁବତୀ ଯାଚିକା ଦାୟର କରିଥିଲେ । କଲେଜ କର୍ତ୍ତୃପକ୍ଷ ତରଫରୁ ଜାରି ହୋଇଥିବା ହିଜାବ ବ୍ୟାନ୍‌ ନୋଟିସରେ ମୌଳିକ ଅଧିକାର କ୍ଷୂର୍ଣ୍ଣ ବୋଲି କୁହାଯାଇଥିଲା । ଏହାପରେ ୨୬ ଜୁନରେ ବମ୍ବେ ହାଇକୋର୍ଟ କଲେଜ ପକ୍ଷରେ ନିଷ୍ପତ୍ତି ଶୁଣାଇଥିଲେ । ଏହାପରେ ଜୁନ୍‌ ୨୭ରେ କଲେଜ ତରଫରୁ ଏକ ନୋଟିଫିକେସନ ଜାରି କରାଯାଇଥିଲା ।

ଏହି ନୋଟିସରେ କୁହାଯାଇଥିଲା କି, ଏବେ କଲେଜ କ୍ୟାମ୍ପସରେ ପୁଅମାନେ ଫର୍ମାଲ ସାର୍ଟ କିମ୍ବା ହାଫ୍‌ ପ୍ୟାଣ୍ଟ ଏବଂ ଝିଅମାନେ ଭାରତୀୟ କିମ୍ବା ପାଶ୍ଚାତ୍ୟ ସଂସ୍କୃତିର ଡ୍ରେସ ପିନ୍ଧି ଆସିପାରିବେ । ଯେଉଁମାନେ ଏହି ନିୟମକୁ ପାଳନ ନ କରିବେ, ସେମାନଙ୍କୁ ଗେଟ୍‌ ବାହାରକୁ ପଠାଇ ଦିଆଯିବ । ଏହି ଡ୍ରେସ କୋଡ ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ । ନୋଟିସରେ କୁହାଯାଇଥିଲା କଲେଜ ଗେଟ ସକାଳ ୭.୪୦ରେ ବନ୍ଦ ହେବ ।

କଲେଜ ପ୍ରିନ୍ସିପାଲ କହିଛନ୍ତି, କଲେଜରେ ଜିନ୍ସ ପିନ୍ଧି ଆସିବାରେ କୌଣସି ବାରଣ ନାହିଁ । କିନ୍ତୁ ଚିରାଫଟା ଜିନ୍ସ କିମ୍ବା ଧର୍ମକୁ ନେଇ କୌଣସି ପ୍ରକାର ପୋଷାକ ପିନ୍ଧି ନ ଆସିବାକୁ କୁହାଯାଇଛି । ତେବେ କୋର୍ଟଙ୍କ ନିଷ୍ପତ୍ତି ପରେ ପୁଣିଥରେ ନୋଟିସ ଜାରି କରାଯାଇଛି ।