ଆଜି ହରିୟାଣା ଓ ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ, ସକାଳ ୮ରୁ ଆରମ୍ଭ ହେବ କାଉଣ୍ଟିଂ

ଆଜି ରେଜଲ୍ଟ ଡେ । ଆସିବ ହରିୟାଣା ଓ ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ । କିଛି ସମୟ ପରେ କଡ଼ା ସୁରକ୍ଷାରେ ଆରମ୍ଭ ହେବ ଭୋଟ ଗଣତି । ସକାଳ ୮ଟାରୁ ଉଭୟ ରାଜ୍ୟରେ ଆରମ୍ଭ ହେବ କାଉଣ୍ଟିଂ । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବା ପରେ ଇଭିଏମ ଗଣତି ଆରମ୍ଭ କରାଯିବ । ୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁକଶ୍ମୀରରେ ନିର୍ବାଚନ ହେଉଥିବା ବେଳେ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୪୬ ଥିବା ବେଳେ ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ଏଗଜିଟ୍ ପୋଲରେ କଂଗ୍ରେସ ସରକାର ଗଢିବା ନେଇ ଆକଳନ କରାଯାଇଛି।
ସେପଟେ ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ନ୍ୟାସନାଲ କନ୍ ଫରେନ୍ସ ମେଣ୍ଟ ଆଗରେ ରହିବା ନେଇ ଏଗଜିଟ୍ ପୋଲରେ ଆକଳନ କରାଯାଇଛି । ଜମ୍ମୁ କଶ୍ମୀରର ୯୦ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୪୬ ଥିବାବେଳେ ମେହବୁବା ମୁଫତିଙ୍କ ପିଡିପି କିଙ୍ଗମେକର ହେବ ବୋଲି ଆକଳନ କରାଯାଉଛି । ତେବେ ଏଗଜିଟ୍ ପୋଲ କେତେ ଏକଜାକ୍ଟ ହେବ ଗଣତି ଓ ଫଳାଫଳ ପରେ ଜଣାପଡ଼ିବ । ଅକ୍ଟୋବର ୫ ତାରିଖରେ ହରିୟାଣାରେ ଗୋଟିଏ ପର୍ୟ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା । ଜମ୍ମୁ-କଶ୍ମୀରରେ ସେପ୍ଟେମ୍ବର ୧୮, ସେପଟେମ୍ବର ୨୫ ଓ ଅକ୍ଟୋବର ୧ରେ ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା ।