୩୩ କେଭି ବିଦ୍ୟୁତ୍‌ ତାର ସହ ଧକ୍କା ହେଲା ତାଜିଆ, ପ୍ରଚଣ୍ଡ ବିସ୍ଫୋରଣ ସହ ଦଳଚକଟା; ୧ ମୃତ

ଉତ୍ତରପ୍ରଦେଶର ଲଖିମ୍‌ପୁର ଖେରିରେ ଏକ ତାଜିଆ ଶୋଭାଯାତ୍ରା ବେଳେ ଘଟିଛି ବଡ଼ ଦୁର୍ଘଟଣା । ଏଠାରେ ମୋହମ୍ମଦି ଥାନା ଅଧୀନ ଗରଦହା ଗାଁରେ ତାଜିଆ ଶୋଭାଯାତ୍ରା ଯାଉଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ ଘଟିଛି । ମିଳିଥିବା ଖବର ମୁତାବକ, ତାଜିଆର ଉଚ୍ଚତା ବହୁତ ଅଧିକ ଥିବାରୁ ଉପରେ ଯାଇଥିବା ୩୩ କେଭି ବିଦ୍ୟୁତ୍‌ ଲାଇନ୍‌ ସହ ଏହା ଧକ୍କା ହୋଇଯାଇଥିଲା । ଫଳରେ ପ୍ରଚଣ୍ଡ ଶବ୍ଦ ହୋଇ ତାଜିଆରେ ନିଆଁ ଲାଗିଯାଇଥିଲା ।

ଏହି ଦୁର୍ଘଟଣାରେ ଶୋଭାଯାତ୍ରାରେ ଚାଲିଥିବା ଜଣେ ତାଜିଆଦାରଙ୍କ ମୃତ୍ୟୁ ଘଟିଛି । ଏଥିରେ ୧୩ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଚିକିତ୍ସା ପାଇଁ ଶାହଜହାଁପୁର ସ୍ଥାନାନ୍ତର କରାଯାଇଛି । ବାକି ଅନ୍ୟମାନଙ୍କର ମୋହମ୍ମଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଚାଲିଛି ।

ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଦେଖାଯାଉଛି କି, ରାଜପଥ ଦେଇ ଯାଇଥିବା ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ତାର ଯୋଗୁ ତାଜିଆ ଏପଟ ସେପଟ ହେଉଛି । ଶୋଭାଯାତ୍ରାରେ ଯାଉଥିବା ଲୋକମାନେ ତାଜିଆକୁ ବିଦ୍ୟୁତ୍‌ କବଳରୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ତାର ସଂସ୍ପର୍ଶରେ ଆସିଥିଲା । ଏହାପରେ ଜୋର୍‌ଦାର ବିସ୍ଫୋରଣ ଘଟି ତାଜିଆରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣା ସମୟରେ ଲୋକମାନେ ଭୟରେ ଏଣେତେଣେ ଧାଁ ଦୌଡ଼ କରିଥିଲେ । ଫଳରେ ଘଟଣାସ୍ଥଳରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

You might also like