ବିବାହକୁ ନେଇ ତାଲିବାନ ଜାରି କଲା ନୂଆ ନିୟମ, କହିଲା- ମହିଳା ମାନେ ସମ୍ପତ୍ତି ନୁହନ୍ତି

କାବୁଲ: ବିଶ୍ୱ ସାମ୍ନାରେ ଭଲ ହେବାକୁ ଚେଷ୍ଟା ହେଉ କିମ୍ବା ତାଲିବାନ ପ୍ରକୃତରେ ବଦଳି ଯାଉ ସେ କଥା ଭବିଷ୍ୟତ ହିଁ କହିବ। ପୂର୍ବରୁ ତାଲିବାନ ମହିଳାଙ୍କୁ ବଳ ପୂର୍ବକ ବିବାହ କରୁଥିବା ଅଭିଯୋଗ ହେଉଥିଲା। କିନ୍ତୁ ବର୍ତ୍ତମାନ ତାଲିବାନ ଆଫଗାନିସ୍ତାନରେ ମହିଳାଙ୍କ ବିବାହକୁ ବାରଣ କରିଛି। ଆଫଗାନିସ୍ତାନରେ କ୍ଷମତାରେ ଥିବା ତାଲିବାନ ଶୁକ୍ରବାର ଦିନ କହିଛି ଯେ ମହିଳାଙ୍କ ବାଧ୍ୟତାମୂଳକ ବିବାହ ଉପରେ ପ୍ରତିବନ୍ଧକ ଲଗାଇଛି। ତାଲିବାନର ସର୍ବୋଚ୍ଚ ନେତା ହିବତୁଲ୍ଲା ଅଖୁନଜଡା ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି।ମହିଳାଙ୍କ ସ୍ୱାଧୀନତା ହ୍ରାସ ଓ ଏକଛତ୍ରବାଦୀ ଶାସନ ଚଳାଉଥିବା ତାଲିବାନ ଏବେ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରି ଅନ୍ତର୍ଜାତୀୟ ରାଷ୍ଟ୍ରଗୁଡ଼ିକର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଛି।

ତାଲିବାନ ଦ୍ୱାରା ଜାରି କରାଯାଇଥିବା ଏକ ଆଦେଶରେ କୁହାଯାଇଛି ଯେ ଉଭୟ (ମହିଳା ଏବଂ ପୁରୁଷ) ସମାନ ହେବା ଉଚିତ୍। ମହିଳାମାନଙ୍କୁ ବାଧ୍ୟବାଧକତା ଦ୍ୱାରା ବିବାହ କରିବାକୁ କେହି କହି କରିପାରିବେ ନାହିଁ। ତାଲିବାନ ହୁଏତ ଏହି ପଦକ୍ଷେପ ନେଇଥାଇପାରେ କାରଣ ବିକଶିତ ରାଷ୍ଟ୍ରମାନଙ୍କଠାରୁ ସ୍ୱୀକୃତି ପାଇବା ଏବଂ ସହାୟତା ଫେରାଇବା ପାଇଁ ଏହି ମାନଦଣ୍ଡ ପୂରଣ ହେବା ଆବଶ୍ୟକ। ଗରିବ, ରକ୍ଷଣଶୀଳ ଦେଶରେ ବାଧ୍ୟତାମୂଳକ ବିବାହ ଅତ୍ୟନ୍ତ ପ୍ରଚଳିତ, କାରଣ ସେମାନଙ୍କର ନାବାଳିକା ମାନଙ୍କୁ ଟଙ୍କା ପାଇଁ ବିବାହ କରନ୍ତି | ବିବାହ ପାଇଁ ସର୍ବନିମ୍ନ ବୟସ କ୍ରମରେ ଉଲ୍ଲେଖ କରାଯାଇ ନାହିଁ, ଯଦିଓ ଏହା ପୂର୍ବରୁ ୧୬ ବର୍ଷ ଥିଲା । ଦଶନ୍ଧି ଧରି ଆଫଗାନିସ୍ତାନରେ ମହିଳାମାନଙ୍କୁ ସମ୍ପତ୍ତି ଭାବରେ ବ୍ୟବହାର କରାଯାଉଥିଲା। କିନ୍ତୁ ବର୍ତ୍ତମାନ ତାଲିବାନ ଏହି ପ୍ରଥାକୁ ବିରୋଧ କରିଛି ।

ଅନ୍ୟପଟେ ତାଲିବାନ କ୍ଷମତାରୁ ଯିବା ପରେ ଦୀର୍ଘ ୨ ଦଶନ୍ଧି ଧରି ମହିଳାଙ୍କ ସ୍ୱାଧୀନତାରେ ଉନ୍ନତି ଆସିଥିଲା। ତେବେ ଏବେ ପୁଣି ତାଲିବାନ ଫେରିଥିବାରୁ ମହିଳମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ତାଲିବାନର ପ୍ରଥମ ସରକାର ବେଳେ ମହିଳାଙ୍କୁ ସମ୍ପତ୍ତି ଭାବେ ବ୍ୟବହାର କରାଯାଉଥିଲା। ସେମାନଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେବା ସହ କ୍ଲୀତଦାସ ଭାବେ ବିବେଚନା କରୁଥିଲା। ଶିକ୍ଷା ଅଧିକାର ମଧ୍ୟ ମିଳୁ ନଥିଲା।

ହେଲେ ଏବେ ତାଲିବାନ ୨.୦ ସରକାର ଏସବୁ ପ୍ରଥା ଉପରେ ରୋକ ଲଗାଇ ଥିବା ଦାବି କରିଛି। ସେହିପରି ମହିଳାମାନଙ୍କୁ ସ୍ୱାମୀ ପ୍ରାଣ ହରାଇବାର ୧୭ ସପ୍ତାହ ପରେ ଦ୍ୱିତୀୟ ବିବାହ ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ମହିଳା ନିଜ ଇଚ୍ଛାରେ ନିଜର ଦ୍ୱିତୀୟ ସ୍ୱାମୀ ଚୟନ କରିପାରିବେ ବୋଲି ତାଲିବାନ କହିଛି।

ଆଫଗାନର ଆଦିବାସୀ ପରମ୍ପରା ଅନୁଯାୟୀ, ଯଦି ଜଣେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟୁଛି, ତା’ହେଲେ ସେ ସ୍ୱାମୀଙ୍କ ଭାଇ କିମ୍ବା ସମ୍ପର୍କୀୟ ମଧ୍ୟରୁ ଜଣଙ୍କୁ ବିବାହ କରିପାରିବେ। ଏହାକୁ ଅନେକ ସମୟରେ ସାମାଜିକ ଅନୁଷ୍ଠାନମାନେ ବିରୋଧ ମଧ୍ୟ କରୁଥିଲେ। ତାଲିବାନ କ୍ଷମତାକୁ ଆସିବା ପରେ ଏହି ପରମ୍ପରାକୁ ବନ୍ଦ କରିଛି। ଏଥିସହ ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯିବ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.