ସାମ୍ନାକୁ ଆସିଲା ତାଲିବାନର କ୍ରୁରତା, ଚାକିରି-ଶିକ୍ଷା ମାଗୁଥିବା ମହିଳାଙ୍କ ଉପରେ ସ୍ପ୍ରେ କଲା ଗୋଲମରିଚ ଗୁଣ୍ଡ; ଦେଖନ୍ତୁ ଭିଡିଓ

ପୁଣିଥରେ ତାଲିବାନର ଆଉ ଏକ କ୍ରୁରତାର ଚିତ୍ର ସାମ୍ନାକୁ ଆସିଛି, ଯାହା ପ୍ରମାଣିତ କରୁଛି ଯେ ତାଲିବାନ୍ କେତେ ଭୟଙ୍କର ଓ ନିର୍ମମ। ମହିଳାଙ୍କୁ ସବୁ ବେଳେ ନିର୍ଯାତନା ଦେଇ ଆସୁଥିବା ତାଲିବାନ୍ ପୁଣିଥରେ ମହିଳା ଆନ୍ଦୋଳନ କାରୀଙ୍କୁ ଆକ୍ରମଣ କରିଛି। ଏଥରକ ଅସ୍ତ୍ର ଶସ୍ତ୍ର ନୁହେଁ, ବରଂ ପିପର/ଗୋଲମରିଚ ସ୍ପ୍ରେ ପକାଇ ମହିଳାଙ୍କ ସ୍ୱରକୁ ଚାପି ଦେବାକୁ ଚେଷ୍ଟା କରିଛି ତାଲିବାନ୍।
ରବିବାର ଆଫଗାନିସ୍ତାନର ରାଜଧାନୀ କାବୁଲରେ କାମ ଓ ଶିକ୍ଷା ଅଧିକାର ଦାବି କରୁଥିବା ମହିଳା ଆନ୍ଦୋଳନ କାରୀଙ୍କ ଉପରକୁ ପିପର ସ୍ପ୍ରେ କରିଛି ତାଲିବାନ। ମହିଳାଙ୍କୁ ଦମନ କରିବାକୁ ତାଲିବାନ ଏହି ନୂଆ ଅସ୍ତ୍ର ବ୍ୟବହାର କରିଛି। ଶିକ୍ଷା ଓ କର୍ମକ୍ଷେତ୍ରରେ ଅଧିକାର ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ମହିଳାଙ୍କୁ ଘଉଡ଼ାଇବାକୁ ତାଲିବାନ ସେନା ସମସ୍ତ ସୀମା ଲଂଘି ଯାଇଛି। କାବୁଲ ବିଶ୍ୱବିଦ୍ୟାଳୟ ଆଗରେ ସମାନତା ଓ ନ୍ୟାୟ ଦାବି ନେଇ ୧୦ରୁ ଅଧିକ ମହିଳା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତିନିଜଣ ମହିଳାଙ୍କ ଉପରେ ତାଲିବାନ ସେନା ଗୋଲମରିଚ ଗୁଣ୍ଡ ମାଡ଼ କରିଥିବା ଜଣାପଡ଼ିଛି।
Taliban forces fired pepper spray at a group of women protesters in Afghanistan who demanded rights to work and education. pic.twitter.com/3R0ooFrEuI
— DW News (@dwnews) January 17, 2022
ସୁରକ୍ଷା ଦୃଷ୍ଟିରୁ ନିଜ ପରିଚୟ ପ୍ରକାଶ ନ କରି ଜଣେ ମହିଳା ବିକ୍ଷୋଭକାରୀ କହିଛନ୍ତି, ଆମେ କାବୁଲ ବିଶ୍ୱ ବିଦ୍ୟାଳୟ ପାଖରେ ଥିବା ବେଳେ ୩ଟି ଗାଡ଼ି ଆସିଥିଲା ଓ ଗୋଟିଏ ଗାଡ଼ିରୁ କିଛି ଲୋକ ଆମ ଉପରକୁ ଗୋଲମରିଚ ସ୍ପ୍ରେ କରିଥିଲେ। ମୋ ଡାହାଣ ଆଖି ପୋଡ଼ିଥିଲା। ମୁଁ ତାଙ୍କୁ କହିଥିଲି ‘ତୁମକୁ ଲଜ୍ଜା ଲାଗେ?’ ତା ପରେ ସେ ମୋତେ ବନ୍ଧୁକ ଦେଖାଇଥିଲା।
ସେହିପରି ଆଉ ଜଣେ ପ୍ରଦର୍ଶନକାରୀ କହିଛନ୍ତି ଯେ ଗାଡ଼ିରେ ଆସିଥିବା ଲୋକଙ୍କ ମଧ୍ୟରୁ ଜଣେ ବିକ୍ଷୋଭକୁ ସୁଟିଂ କରୁଥିବା କ୍ୟାମେରାକୁ ନେଇ ଯାଇଛନ୍ତି।
ତେବେ ଏହି ଘଟଣା ପରେ କିଛି ମହିଳା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ସେମାନଙ୍କ ଆଖି ଓ ମୁହଁରେ ଗୋଲମରିଚ ସ୍ପ୍ରେ ଯୋଗୁ ଆଲର୍ଜି ହୋଇଯାଇଛି।
ସୂଚନା ଯୋଗ୍ୟ ଯେ ୨୦୨୧ ଅଗଷ୍ଟ ୧୫ରେ କାବୁଲ ଦଖଲ ପରେ ଆଫଗାନ ମାଟିରେ ବର୍ବରତା ଚଳାଇ ଆସିଛି ତାଲିବାନ ସେନା। ବିଶେଷକରି ମହିଳାମାନଙ୍କ ଉପରେ କଠୋର ପ୍ରତିବନ୍ଧକ ଲାଗୁ କରିବା ସହ ସେମାନଙ୍କୁ ଦମନ କରିବାକୁ ସମସ୍ତ ପ୍ରୟାସ ଚଳାଇଛି। ଶାସନ ନାଁରେ ଲୋକଙ୍କୁ ନିର୍ଯାତନା ଦେଉଛି ତାଲିବାନ।