କଶ୍ମୀର ମାମଲାରେ ଭାରତକୁ ଝଟ୍କା ଦେଲା ତାଲିବାନ୍, ପ୍ରଶଂସାରେ ପୋତି ପକାଇଲା ପାକିସ୍ତାନକୁ
ପାକିସ୍ତାନକୁ ପ୍ରଶଂସାରେ ପୋତି ପକାଇଛି ତାଲିବାନ। ଆଫଗାନିସ୍ତାନର ଡେପୁଟୀ ଇନ୍ଫରମେସନ୍ ମିନିଷ୍ଟର ତଥା ତାଲିବାନର ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦ ଅନ୍ତର୍ଜାତୀୟ ସମୁଦାୟ ସାମ୍ନାରେ ଆଫଗାନିସ୍ତାନକୁ ସମର୍ଥନ କରିଥିବାରୁ ପାକିସ୍ତାନକୁ ପ୍ରଶଂସା କରିଛନ୍ତି। ପିଟିବି ସହ ଇଣ୍ଟରଭ୍ୟୁ ବେଳେ ମୁଜାହିଦ କହିଛନ୍ତି, ଆଫଗାନିସ୍ତାନ ସହ ସମ୍ପର୍କରେ ରହିବାକୁ ପାକିସ୍ତାନ ସବୁବେଳେ ଚେଷ୍ଟା କରୁଛି। ଏଥିସହ ଅନ୍ୟ ଦେଶମାନେ ମଧ୍ୟ ଆଫଗାନିସ୍ତାନ ସହ ଯୋଡ଼ି ହୁଅନ୍ତୁ ବୋଲି ପାକ୍ ଚାହୁଁଛି। କଶ୍ମୀରକୁ ନେଇ ମଧ୍ୟ ଜବିହୁଲ୍ଲାହ ମୁଜାହିଦ ମୁହଁ ଖୋଲିଛନ୍ତି।
ଜବିହୁଲ୍ଲାହ ମୁଜାହିଦ କହିଛନ୍ତି, ସାରା ବିଶ୍ୱରେ କେତେକ ଏଭଳି ସ୍ଥାନ ରହିଛି ଯେଉଁଠାରେ ମୁସଲମାନଙ୍କ ସହ ଅଶାଳୀନ ବ୍ୟବହାର କରାଯାଉଛି। ଏସବୁ ସ୍ଥାନ ମଧ୍ୟରେ ଫିଲିସ୍ତିନ, କଶ୍ମୀର ଓ ମିଆଁମାର ରହିଛି। ଯେଉଁଠାରେ ବି ମୁସଲମାନଙ୍କୁ ନିର୍ଯାତନା ଦିଆଯାଉଛି, ଆମେ ତାହାକୁ ବିରୋଧ କରୁଛୁ। ଜମ୍ମୁ-କଶ୍ମୀରରେ ମାନବାଧିକାରୀର ଉଲ୍ଲଂଘନ ନେଇ ମଧ୍ୟ ଆମେ ଆଲୋଚନା କରୁଛୁ। ସେ କହିଛନ୍ତି, ଆଫଗାନିସ୍ତାନର ସରକାର ଦୁନିଆର ବିଭିନ୍ନ ସ୍ଥାନରେ ପୀଡ଼ିତ ମୁସଲମାନଙ୍କୁ ରାଜନୈତିକ ସାହାଯ୍ୟ ପ୍ରଦାନ କରିବା ଜାରି ରଖିବ।
ଜବିହୁଲ୍ଲାହ ମୁଜାହିଦ କହିଛନ୍ତି, ଏବେ ପଞ୍ଜଶିରରେ ମଧ୍ୟ ଯୁଦ୍ଧ ଶେଷ ହୋଇଛି। ଆମେ ଆଉ କାହା ସହ ବି ଯୁଦ୍ଧ କିମ୍ବା ହିଂସା ଚାହୁଁନାହୁଁ। ଏବେ ଆଫଗାନିସ୍ତାନର ପ୍ରଗତି ଓ ସମୃଦ୍ଧି ପାଇଁ କାମ କରିବା ସମୟ ଆସିଛି। ଏବେ କେବଳ ଦେଶର ଉନ୍ନତି ପାଇଁ ତାଲିବାନ କାମ କରିବ ବୋଲି ସେ କହିଛନ୍ତି। ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା କରିବା ପରେ ଆମର ଦ୍ୱିତୀୟ ପ୍ରାଥମିକତା ଅନ୍ୟ ଦେଶ ସହ ବେପାର ବାଣିଜ୍ୟ ବଢ଼ାଇବା ହେବ ବୋଲି ଜବିହୁଲ୍ଲାହ ମୁଜାହିଦ କହିଛନ୍ତି।