ଜାତିସଂଘରେ ବିଶ୍ୱକୁ ସମ୍ବୋଧନ କରିବାକୁ ଚାହୁଁଛି ତାଲିବାନ, ମହାସଚିବଙ୍କୁ ପଠାଇଲା ଚିଠି

ନୂଆଦିଲ୍ଲୀ : ଆଫଗାନ କବ୍‌ଜା ପରେ ଏବେ ଜାତିସଂଘରେ ଉଦ୍‌ବୋଧନ ଦେବାକୁ ତାଲିବାନର ସ୍ୱପ୍ନ। ଜାତିସଂଘରେ ପ୍ରତିନିଧିତ୍ୱ ଚାହୁଁଛି ତାଲିବାନ। ଏ ନେଇ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁଟ୍ଟାକୀ, ଜାତିସଂଘ ମହାସଚିବଙ୍କୁ ପତ୍ର ଲେଖିଛନ୍ତି। ବର୍ତ୍ତମାନ ଆଫଗାନ ପକ୍ଷରୁ ଗୁଲାମ ଇସାକ୍‌ଜାଇ ଜାତିସଂଘରେ ପ୍ରତିନିଧିତ୍ୱ କରୁଛନ୍ତି। ତାଲିବାନ ପତ୍ର ଲେଖି ଜଣାଇଛି, ଇସାକ୍‌ଜାଇ ଆଉ ଆଫଗାନିସ୍ତାନର ପ୍ରତିନିଧି ନୁହନ୍ତି। କାରଣ ଅସରଫ ଘନି ଆଉ ଆଫଗାନିସ୍ତାନର ରାଷ୍ଟ୍ରପତି ନୁହଁନ୍ତି। ତେଣୁ ଇସାକ୍‌ଜାଇଙ୍କ ବଦଳରେ ତାଲିବାନ ମହମ୍ମଦ ସୁହେଲ ସାହିନଙ୍କୁ ଜାତିସଂଘ ପଠାଇବାକୁ ଚାହୁଁଛି।

ସେପଟେ ତାଲିବାନର ଆଫଗାନିସ୍ତାନ ଦଖଲ ପରେ ବି ଇସାକ୍‌ଜାଇ ଆଫଗାନିସ୍ତାନର ପ୍ରତିନିଧି ଭାବେ କାର୍ଯ୍ୟ କରି ଆସୁଛନ୍ତି । ଗତ ସପ୍ତାହରେ ଜାତିସଂଘ ମହାସଚିବଙ୍କୁ ଚିଠି ଲେଖି, ଚଳିତ ସାଧାରଣ ପରିଷଦ ବୈଠକରେ ଯୋଗ ଦେବାକୁ ଥିବା ଅଧିକାରୀଙ୍କ ତାଲିକା ଦେଇଥିଲେ। ଯେଉଁ ଥିରେ ସେ ନିଜକୁ ପ୍ରତିନିଧି ଦଳର ମୁଖ୍ୟ ବୋଲି ଉଲ୍ଲେଖ କରିଥିଲେ। ଏବେ ତାଲିବାନର ପତ୍ର ପରେ କୂଟନୈତିକ ଯୁଦ୍ଧ ଆରମ୍ଭ ହୋଇପାରେ। ଉଭୟ ପକ୍ଷର ଅନୁରୋଧ ଉପରେ ବିଚାର କରିବ ଜାତିସଂଘର କ୍ରିଡେନସିଆଲ କମିଟି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.