ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି, କେନ୍ଦ୍ର କ୍ୟାବିନେଟରେ ଓଡ଼ିଶାର କେତେଜଣ ନେଇ ଚର୍ଚ୍ଚା

ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ୨୧ ଆସନ ବିଶିଷ୍ଟ ଓଡିଶାରୁ ବିଜେପି ୨୦ଟି ଆସନରେ ବିଜୟ ଲାଭ କରି ମୋଦିଙ୍କ ପ୍ରତି ଓଡିଶାବାସୀଙ୍କ ଅକୁଣ୍ଠ ସମର୍ଥନ ପ୍ରମାଣ କରିଛି। ମୋଦିଙ୍କ କ୍ୟାବିନେଟରେ ଓଡ଼ିଶାରୁ କାହାକୁ ସ୍ଥାନ ମିଳିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
ଏଥର ଓଡ଼ିଶାରୁ ସର୍ବାଧିକ ୨୦ ଜଣ ବିଜେପି ସାଂସଦ ନିର୍ବାଚିତ ହୋଇଛନ୍ତି । ଦମଦାର ପ୍ରଦର୍ଶନ ପରେ ପଶ୍ଚିମ ଓଡ଼ିଶାର ସାଂସଦଙ୍କୁ କେନ୍ଦ୍ର କ୍ୟାବିନେଟରେ ମିଳିପାରେ ସ୍ଥାନ । ରେସର ଆଗରେ ଅଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ମହିଳା ବର୍ଗରୁ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି ।
ଉପକୂଳରେ ବି ବଡ ବିଜୟ ହାସଲ କରିଛି ବିଜେପି । ଏଠାର କିଛି ବରିଷ୍ଠ ସାଂସଦ ଏବେ ମନ୍ତ୍ରୀ ଦୌଡରେ । ପୁରୀ ସାଂସଦ ସମ୍ବିତ ପାତ୍ର, କଟକର ଭେଟେରାନ ସାଂସଦ ଭର୍ତ୍ତୃହରି ମହାତାବଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବି କ୍ୟାବିନେଟରେ ସ୍ଥାନ ମିଳିପାରେ ।
ଆଦିବାସୀ କୋଟାରେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ , ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ମନ୍ତ୍ରୀ ଓ କେନ୍ଦୁଝରରୁ ଜିତିଥିବା ଅନନ୍ତ ନାୟକଙ୍କ ନାଁ ଚର୍ଚ୍ଚାରେ ରହିଛି। ୨୦୧୯ରେ ଓଡ଼ିଶାରୁ ୮ ବିଜେପି ସାଂସଦ ଥିବା ବେଳେ ୩ ଜଣଙ୍କୁ କ୍ୟାବିନେଟରେ ସ୍ଥାନ ମିଳିଥିଲା । ତେଣ ଏଥର କେତେଜଣ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ତାକୁ ନେଇ ଚର୍ଚ୍ଚା।