ବିରାଟକାୟ ପଥର ପଡି ପରିବାରର ୭ ମୃତ ଘଟଣା: ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ତାମିଲନାଡୁ: କାନ୍ଦ ବୋବାଳିରେ କମ୍ପୁଛି ରାସ୍ତା । ଆଖିର ଲୁହ ବୋଲମାନୁନି । ଧର୍ଯ୍ୟହରା ପରିବାର ଲୋକେ । କିଏ ଛାତିକୁ ପିଟି ପିଟି ବିକଳ ରଡି କରୁଛି ତ କିଏ ମୁଣ୍ଡ ବାଡେଇ ବାଡେଇ ଅଧର୍ଯ୍ୟ ହୋଇପଡୁଛି । ଛାତିଫଟା କାନ୍ଦ ବୋବାଳିରେ ଫାଟି ପଡୁଛି ସମଗ୍ର ଅଞ୍ଚଳ । ଏମିତି ମରଣକୁ ସ୍ୱୀକାର କରିପାରୁନାହାନ୍ତି ପରିବାର ଲୋକେ । ବେଳେ ବେଳେ ଭାରି ଆଶ୍ଚର୍ଯ୍ୟ ଲାଗେ । କଣ ମୃତ୍ୟୁ ଏମିତି ବି ଆସେ ? ତେବେ ମୃତ୍ୟୁ କେତେବେଳେ ଆଉ କେମିତି ଭାବରେ ଆସେ ତାହା ଜାଣିବା ମୁସ୍କିଲ । ଏମିତି ପୁଣି ଏକ ଅଘଟଣର ଖବର ପୁଣି ସାମ୍ନାକୁ ଆସିଛି । ଆଉ ଛାରଖାର୍‌ ହୋଇଯାଇଛି ଏକ ସୁନାର ସଂସାର ।

sad

ଯାହାର ଭିଜୁଆଲ୍ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ତେବେ ପାହାଡ ତଳେ ଥିବା ଏକ ଘର ଉପରେ ପଡ଼ିଥିଲା ବିରାଟକାୟ ପଥର । ଆଉ ଏଇ ପଥର ତଳେ ଚାପି ହୋଇ ଚାଲିଗଲା ୭ଜଣଙ୍କ ଜୀବନ । ସବୁଠାରୁ ବଡ ଦୂଃଖର କଥା ମୃତକଙ୍କ ମଧ୍ୟରେ ୫ଜଣ ଶିଶୁ ଥିବା ସୂଚନା ମିଳିଛି । ତେବେ ତାମିଲନାଡୁ ତିରୁଭନମାଲାଇରେ ଘଟିଛି ଏଭଳି ଏକ ଛାତିଥରା ଘଟଣା । ଲଗାଣ ବର୍ଷା ଯୋଗୁ ଘର ଉପରେ ଏକ ବିରାଟକାୟ ପଥର ଖସିପଡଥିବା ଜଣାପଡିଛି । ଯାହାପରେ ଉକ୍ତ ପଥର ତଳେ ଦୀର୍ଘ ସମୟ ଧରି ଚାପି ହୋଇ ରହିଥିଲେ ଲୋକ । ପରେ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଅନାମଲାୟାର ପାହାଡରେ ଭୂସ୍ଖଳନ ଯୋଗୁଁ ବଡ ପଥର ଖଣ୍ଡ ମାଟି ଅତଡା ଅତଡା ସହ ତଳକୁ ଧସି ଆସିଥିଲା । ଯାହାଫଳରେ ଗୋଟିଏ ପରିବାର ୭ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ଅପରାହ୍ନ ସାଢେ ୪ଟାରେ ଏହି ଅଂଚଳରେ ହୋଇଥିଲା ପ୍ରଥମ ଭୂସ୍ଖଳନ । ଆଜି ପୁଣି ଭୂସ୍ଖଳନ ଘଟିଛି । ତେବେ ବାତ୍ୟା ଫେଙ୍ଗାଲ ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷାରୁ ଭୂସ୍ଖଳନ ଘଟିଥିବା ଆଶଙ୍କା କରାଯାଉଛି । ବନ୍ୟା ପରିସ୍ଥିତି ବି ସୃଷ୍ଟି ହୋଇଛି ।

ଏପଟେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଘଟିଛି । ଜଳସ୍ତର ବୃଦ୍ଧି ଫଳରେ ଚାରିଆଡ଼େ ପାଣି ମାଡ଼ିଯାଇଛି । ଅନେକ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ରାସ୍ତାଘାଟରେ ବନ୍ୟାଜଳ ପ୍ରବାହିତ ହେବାସହ ଗାଡ଼ ମୋଟର ଯାତାୟତ ବାଧାପ୍ରାପ୍ତ ହୋଇଛି । ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉ ଥିବାବେଳେ ସେନା କର୍ମଚାରୀ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି । ଭୂସ୍ଖଳନ ସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଚେନ୍ନାଇ ଆଇଆଇଟି ବିଶେଷଜ୍ଞ ଟିମ ନେତୃତ୍ଵେରେ ରେସକ୍ୟୁ ଅପରେସନ ଚାଲିଛି ।

pathara

ଏପଟେ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  । ଏଭଳି ଦୁଃଖଦ ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି । ତେବେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଉଦ୍ଧାରକାର୍ଯ୍ୟ ପ୍ରଭାବିତ ହୋଇଛି । ଆଗକୁ ମଧ୍ୟ ପାହାଡ଼ରୁ ମାଟି ଧସିବା ନେଇ ସତର୍କତା ଜାରି କରିଛି ପ୍ରଶାସନ । ସେପଟେ ତାମିଲନାଡୁ ଭିଲିପୁରମରେ ଆଜି ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି । ଯୁଦ୍ଧ କାଳୀନ ଭିତ୍ତିରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପ୍ରଶସନ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି ।