ଆଇଆଇଟି ଜାଣିନଥିବା ପିଲା ପ୍ରଥମ ପ୍ରୟାସରେ କଲେ ଜେଇଇ କ୍ରାକ

୨୦୧୯ ମସିହାରେ ଅରୁନ ଜାଣିନଥିଲେ ଆଇଆଇଟିର ମାନେ କ’ଣ। କିନ୍ତୁ ୨୦୨୧ରେ ଜେଇଇ ଆଡଭାନ୍ସ ଦେଲେ ଆଉ ପ୍ରଥମ ଚେଷ୍ଟାରେ ଟପ କରିଛନ୍ତି ପି. ଅରୁନ କୁମାର । ତାଙ୍କର ର‍୍ୟାଙ୍କ ହେଉଛି ୨,୫୦୩ । ୧୭ ବର୍ଷୀୟ ଅରୁନ ଇଣ୍ଡିଆନ ଇଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜିରେ ଆଡମିସନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଯୁବ ଗୋଷ୍ଠୀ ପାଇଁ ସାଜିଛନ୍ତି ସେ ବଡ ଉଦାହରଣ ।

ତେବେ ଅରୁନଙ୍କ ସଫଳତା ପଛରେ କେବଳ ତାଙ୍କର କଠିନ ପରିଶ୍ରମ କି ଦୃଢ଼ ଇଚ୍ଛାଶକ୍ତି କାମ ଦେଇନଥିଲା ତା ସହିତ ଥିଲା ତାଙ୍କ ବାପାଙ୍କ ଆଶିର୍ବାଦ। ସେ ବିଭିନ୍ନ ଜାଗାରେ କାମ କରି ନିଜ ପୁଅର ପାଠ ପଢା ପାଇଁ ରୋଜଗାର କରୁଥିଲେ । ପୁଅକୁ ବଡ଼ ମଣିଷ କରିବା ପାଇଁ ଦିନରାତି ଖଟୁଥିଲେ । ଅଧିକ ଟଙ୍କା ଦେଇ ପୁଅକୁ ପ୍ରାଇଭେଟରେ ପଢାଇବା ପାଇଁ ସକ୍ଷମ ନଥିଲେ । କିନ୍ତୁ ଚାହୁଁଥିଲେ ଯେ ସରକାରୀ ସ୍କୁଲରେ ଅରୁନ ନିଜର ପାଠ ପଢା ଭଲ ଭାବେ ଶେଷ କରନ୍ତୁ । ତାହା ମଧ୍ୟ ହୋଇଥିଲା । ତେବେ ନିଜ ବାପାଙ୍କ କଠିନ ପରିଶ୍ରମ ଅରୁଣଙ୍କୁ ଭଲ ପାଠ ପଢିବା ପାଇଁ ଅଧିକ ପ୍ରେରଣା ଯୋଗାଇଥିଲା ବୋଲି କହିଛନ୍ତି । ଶେଷରେ ତାଙ୍କ ପରିଶ୍ରମର ଫଳ ମିଳିଛି । ପୁଅ ଅରୁଣ ଜେଇଇ ଟପ୍ପର ହୋଇ ପରିବାର ସହ ରାଜ୍ୟ ପାଇଁ ମଧ୍ୟ ଗୌରବ ଆଣିଛନ୍ତି ।

ତ୍ରିଚି ନିକଟ କରାଡିପାଟୀର ଏକ ସୁଦୂର ଗାଁରେ ନିଜ ପରିବାର ସହିତ ରୁହନ୍ତି ଅରୁନ । ଅବଶ୍ୟ ତାଙ୍କ ଟ୍ୟାଲେଣ୍ଟ ଦେଖି ଅରୁନଙ୍କୁ କୋଚିଙ୍ଗ ନେବାରେ ସହାୟତା ପ୍ରଦାନ କରିଛି ଆଇ.ଜି.ଏନ.ଆଇ.ଟି.ଟି.ଇ ଅନୁଷ୍ଠାନ । ଏନଆଇଟି ତ୍ରିଚିର ମୂଳ ଉଦ୍ଦେଶ୍ୟ ହେଉଛି ପଛୁଆ ବର୍ଗ ଓ ଆର୍ଥିକ ଅଭାବ ଥିବା ପିଲାମାନଙ୍କୁ ପ୍ରଶାସନିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ସାହାଯ୍ୟ କରିବ । ତେବେ ତ୍ରିଚି ଜିଲ୍ଲା ପ୍ରଶାସନ ଦ୍ୱାରା କରାଯାଇଥିବା ଏଣ୍ଟ୍ରାନ୍ସ ପରୀକ୍ଷାରେ ସଫଳ ହୋଇଥିଲେ ଅରୁନ । ତାଙ୍କର ପାଠ ପଢା ପାଇଁ ଆଗ୍ରହ ଦେଖି ଜେଇଇ ପାଇଁ ୨୦୧୯ରେ IGNIT ରୁ କୋଚିଂ ନେବାରେ ତାଙ୍କୁ ଅଫର ଆସିଥିଲା ।

କୋଭିଡ ପାଇଁ ଅନଲାଇନରେ ପାଠ ପଢିବା ପାଇଁ ତାଙ୍କୁ ପ୍ରଥମେ ଅସୁବିଧା ହେଉଥିଲା କାରଣ ତାଙ୍କ ପାଖରେ ସ୍ମାର୍ଟ ଫୋନ ନଥିଲା । ତାଙ୍କ ବାପା ପରେ ବହୁତ କଷ୍ଟରେ ତାଙ୍କୁ ଦଶ ହଜାର ଟଙ୍କା ଯୋଗାଡ଼ କରି ଏକ ଫୋନ କିଣି ଦେଇଥିଲେ । ଯେଉଁଥିରେ ସେ ଅନଲାଇନ କ୍ଲାସ କରୁଥିଲେ । ନିଜ ବାପାଙ୍କ ଆଖିରେ ତାଙ୍କ ପାଇଁ ଥିବା ସ୍ୱପ୍ନକୁ ସେ ଦେଖି ପାରିଲେ । ଆଉ ଖୁବ୍ ନିଷ୍ଠାର ସହ ପରିଶ୍ରମ କଲେ । ପରେ ନିଜ ସଫଳତାରେ ଅରୁନ ଏବେ ବହୁତ ଖୁସି । ଏକ ଅତି ଗରିବ ପରିବାରରୁ ଆସି ମଧ୍ୟ ଶିକ୍ଷାର ଗୁରୁତ୍ୱକୁ ବୁଝିଛନ୍ତି ଅରୁନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.