ଆଉ ଜଣେ ଶ୍ରବଣ କୁମାର: ନିଜ ବାପାଙ୍କୁ କରୋନା ଟିକା ଦେବା ପାଇଁ କାନ୍ଧରେ ବସାଇ ପ୍ରାୟ ୧୨ ଘଣ୍ଟା ଚାଲିଲେ ଯୁବକ

ତ୍ରେତୟା ଯୁଗରେ ଶ୍ରବଣ କୁମାରଙ୍କ ବିଷୟରେ ତ ଆପଣ ନିଶ୍ଚିତ ଜାଣିଥିବେ । ନିଜର ଦୃଷ୍ଟିହୀନ ପିତା ମାତାଙ୍କର ସେ ଯେଉଁଭଳି ଯତ୍ନ ନେଉଥିଲେ ହୁଏତ ସେହିପରି ଆଉ କେହି କରିନଥିବେ। ନିଜର ଜୀବନକୁ ନିଜ ବାପା ମା’ଙ୍କ ପାଇଁ ସମର୍ପଣ କରିଦେଇଥିଲେ ସେ । ସେଥିପାଇଁ ତ ଜଣେ ସୁପୁତ୍ରର ଉଦାହରଣ ଶ୍ରବଣ କୁମାରଙ୍କୁ ଦିଆଯାଏ, ଯିଏକି ତ୍ରେତୟା ଯୁଗର। ହେଲେ ଆଜି ଆମେ ଏମିତି ଆଉ ଜଣେ ଯୁବକଙ୍କ କଥା କହିବୁ ଯାହାକୁ ଶ୍ରବଣ କୁମାରଙ୍କ ସହିତ ତୁଳନା କଲେ କିଛି ଭୁଲ୍ ହେବ ନାହିଁ।

ଆପଣ ଜାଣିଛନ୍ତି ବର୍ତ୍ତମାନ କୋଭିଡ -୧୯ ବିଶ୍ଵରେ କାୟା ବିସ୍ତାର କରିବାକୁ ଲାଗିଛି । ଯାହାପାଇଁ ଟିକା କରଣ ପ୍ରକ୍ରିୟା ମଧ୍ୟ ଦ୍ରୁତ ଗତିରେ ଚାଲିଛି । ଏମିତିକି ବିଶ୍ୱର ପ୍ରାୟ ସବୁ ସ୍ଥାନରେ ଏହି ଟିକା କାରଣ କରାଯାଉଛି । ତେବେ ୟାରି ଭିତରେ ଅନେକ ଲୋକ ଟିକା ନେଇଛନ୍ତି । ହେଲେ କିଛି ସ୍ଥାନ ଏମିତି ଅଛି ଯେଉଁଠି ସରକାରୀ ସୁବିଧା ପହଂଚିଥିଲେ ମଧ୍ୟ ତାହା ଅପହଞ୍ଚ ଭଳି। ଠିକ୍ ସେମିତି କିଛି ଘଟଣା ଘଟିଛି ବ୍ରାଜିଲର ଆମାଜନଠାରେ । ପୁଣି ଏହି ଘଟଣା ପ୍ରମାଣ କରିଦେଇଛି ଯେ ଏହି କଳି ଯୁଗରେ ମଧ୍ୟ ଶ୍ରବଣ କୁମାର ଅଛନ୍ତି ବୋଲି।

ବ୍ରାଜିଲର ଆମାଜନଠାରେ ଜଣେ ଆଦିବାସୀ ବ୍ୟକ୍ତି ତାଙ୍କ ପିତାଙ୍କୁ କରୋନା ଟିକା ଦେବାକୁ ପ୍ରାୟ ଛଅ ଘଣ୍ଟା ଧରି ନିଜ ପିଠିରେ ବସାଇ ଟିକାକରଣ କେନ୍ଦ୍ରକୁ ନେଇଯାଉଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଅଧିକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ କହୁଛନ୍ତି ଏ ହେଉଛନ୍ତି ଆଧୁନିକ ଯୁଗର ଶ୍ରବଣ କୁମାର ।

 

sravana kumar
Picture Credit – India Mart

ତେବେ ଫଟୋରେ ଦେଖିବାକୁ ମିଳିଛି ଯେ ୨୪ ବର୍ଷୀୟ ଯୁବକ ତାୱି ନିଜର ୬୭ ବର୍ଷିୟ ପିତାଙ୍କୁ ପିଠିରେ ବସାଇ ଟିକାକରଣ କେନ୍ଦ୍ରକୁ ନେଇ ଯାଉଛନ୍ତି । ତାୱିଙ୍କ ପିତାଙ୍କ ନାମ ୱାହୁ । ପୁଣି ପିଠିରେ ଘଣ୍ଟେ କିଂମା ଅଧଘଣ୍ଟା ପାଇଁ ନୁହେଁ, ତାୱି ଏଭଳି ଭାବେ ପ୍ରାୟ ୬ ଘଣ୍ଟା ନିଜ ପିତାଙ୍କୁ ପିଠିରେ ବସାଇ ଚାଲି ଚାଲି ଟିକାକରଣ କେନ୍ଦ୍ରରେ ପହଞ୍ଚିଥିଲେ। ଖାଲି ସେତିକି ନୁହେଁ ସେ ନିଜ ଘରକୁ ଫେରିବା ସମୟରେ ମଧ୍ୟ ନିଜ ବାପାଙ୍କୁ ପିଠିରେ ବସାଇ ପୁଣି ୬ ଘଣ୍ଟା କାଳ ଚାଲି ଚାଲି ଫେରିଥିଲେ । ତେବେ ଟିକାକରଣ କେନ୍ଦ୍ରରେ ପହଁଚିବା ପରେ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ତାୱିଙ୍କର ନିଜ ବାପାଙ୍କ ପ୍ରତି ଭଲ ପାଇବା ଦେଖି ।

ପୁଣି ଏହି ଫଟୋ ଉଠାଇଥିବା ଡାକ୍ତର ଏରିକ ଜେନିଙ୍ଗ୍ସ ସିମୋସ କହିଛନ୍ତି ଯେ , ତାୱିଙ୍କ ପିତାଙ୍କ ଆଖିକୁ ପ୍ରାୟତଃ କିଛି ଦେଖାଯାଉ ନାହିଁ । ଏହାସହ ସେ ଅନ୍ୟାନ୍ୟ ରୋଗରେ ପୀଡିତ, ଯେଉଁ କାରଣରୁ ସେ ଚଲାବୁଲା ବି କରିପାରୁ ନାହାଁନ୍ତି । ସେଥିପାଇଁ ତାୱି ତାଙ୍କ ବାପାଙ୍କୁ କାନ୍ଧରେ ବସାଇ ଟିକା ଦେବାକୁ ଆଣିଥିଲେ। ଏହା ପୁତ୍ର ଓ ପିତାଙ୍କ ଭିତରେ ଥିବା ଗଭୀର ସଂପର୍କର ଏକ ଉଦାହରଣ । ତେବେ ତାୱି ଏବଂ ୱାହୁ ଜୋ’ର ଆଦିବାସୀ ସମ୍ପ୍ରଦାୟର ଅଟନ୍ତି |

ତାୱି ଓ ତାଙ୍କ ବାପାଙ୍କ ଏହି ଫଟୋ ଜାନୁଆରି ୨୦୨୧ ମସିହାରେ ଉତ୍ତୋଳନ କରାଯାଇଥିବା ବେଳେ ଚଳିତ ବର୍ଷ ଜାନୁଆରି ୧ରେ ଏହାକୁ ଇନଷ୍ଟାରେ ପୋଷ୍ଟ କରିଥିଲେ ଡାକ୍ତର ଏରିକ ଜେନିଙ୍ଗ୍ସ ସିମୋସ।ଡାକ୍ତର ଏହାକୁ ୨୦୨୧ ର ସବୁଠାରୁ ଉଲ୍ଲେଖନୀୟ ମୁହୂର୍ତ୍ତ” ବୋଲି କହିଥିଲେ। ଏଭଳି ଫଟୋ ଏବେ ଦେଖିବା ପ୍ରାୟ ଅସମ୍ଭବ । କାରଣ ବର୍ତ୍ତମାନ ଦୁନିଆର ଯୁବପିଢ଼ିମାନେ ସେମାନଙ୍କ ପିତାମାତାଙ୍କ ପାଇଁ ନିଜ କର୍ତ୍ତବ୍ୟକୁ ଭୁଲିଯାଉଥିବା ବେଳେ ଦେଶବିଦେଶରେ ଅନେକ ସ୍ଥାନରେ ଜରା ନିବାସ ସଂଖ୍ୟା ବଢିବାରେ ଲାଗିଛି।

କିନ୍ତୁ ତାୱି ତାଙ୍କ ବାପାଙ୍କୁ ପ୍ରାୟ ୧୨ ଘଣ୍ଟା କାଳ କାନ୍ଧରେ ବସାଇ ଟିକାକାରଣ କେନ୍ଦ୍ରକୁ ଯିବା ଆସିବା କରିବା ଘଟଣା ଏକ ବଡ ଉଦାହରଣ ସୃଷ୍ଟି କରିଛି, ଜଣେ ୨୪ ବର୍ଷୀୟ ଆଦିବାସୀ ଯୁବକ ନିଜ ପିତାଙ୍କ ପ୍ରତି ଥିବା କର୍ତ୍ତବ୍ୟକୁ ଏତେ ନିଷ୍ଠାର ସହ ପାଳନ କରିବାର ସତରେ ପ୍ରଶଂସନୀୟ । ଏମିତି କହିବାକୁ ଗଲେ ବ୍ରାଜିଲର ତାୱି ମଧ୍ୟ ଶ୍ରବଣକୁମାରଙ୍କ ଠାରୁ କିଛି କମ୍ ନୁହଁନ୍ତି ।

ତେବେ ସେହି ସ୍ଥାନର ଡାକ୍ତର ପ୍ରଶାସନର ଭୁଲ ରହିଥିବା ମଧ୍ୟ କହିଛନ୍ତି, କାରଣ ଏପରି ଦୁର୍ଗମ ଅଞ୍ଚଳରେ ରାସ୍ତାରେ ଗାଡି ଯିବାପାଇଁ ମଧ୍ୟ କୌଣସି ସୁବିଧା ନାହିଁ । ସେମାନେ ରହୁଥିବା ସ୍ଥାନରେ ମୌଳିକ ସୁବିଧା ମଧ୍ୟ କିଛି ନାହିଁ, ଯାହା ପାଇଁ ଅନେକ ଲୋକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡୁଛି । ରେଡିଓ ଯୋଗାଯୋଗ ମାଧ୍ୟମରେ ଜୋ’ ଆଦିବାସୀ ସମ୍ପ୍ରଦାୟଗୁଡିକ ସହିତ ଟିକାକରଣ ବ୍ୟବସ୍ଥା ବିଷୟରେ ରେଡ଼ିଓ ଯୋଗେ ସମ୍ପର୍କ କରାଯାଇଥିଲା ।

ସରକାରୀ ତଥ୍ୟ ଅନୁଯାୟୀ, ବ୍ରାଜିଲରେ କୋଭିଡ୍-୧୯ ​ଯୋଗୁଁ ୮୫୩ ଆଦିବାସୀଙ୍କର ମୃତ୍ୟୁ ହୋଇଛି। ତେବେ ଆଦିବାସୀ ଅଧିକାର ଗୋଷ୍ଠୀ କହିଛନ୍ତି ଯେ ଏହି ସଂଖ୍ୟା ବହୁତ ଅଧିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.