ଆମେରିକାରୁ ଆସିଥିଲେ ପରିବାର ସହ ଛୁଟି କଟାଇବା ପାଇଁ, ହେଲେ ଚାଲିଗଲା ଜୀବନ

ବାପା କୁଆଡେ ଗଲେ ମା’? ବାପା କେତେବେଳେ ଆସିବେ? ସେ କୁଆଡେ ଯାଇଛନ୍ତି? ପ୍ରତ୍ୟେକ ଥର ନିଦରୁ ଉଠିବା ପରେ ସମାନ ପ୍ରଶ୍ନ ପଚାରୁଛି ୩ ବର୍ଷର କୁନି ପୁଅ । କିନ୍ତୁ ଏ ପ୍ରଶ୍ନର କୌଣସି ଉତ୍ତର ନାହିଁ ମା’ ପାଖରେ । କେମିତି ବା କହିବ ନିଜ ଛୁଆକୁ କି ତା ବାପା ଆଉ କେବେ ବି ଫେରିବେନି । ସେ ସବୁଦିନ ପାଇଁ ଏ ଦୁନିଆ ଛାଡ଼ି ଚାଲିଯାଇଛନ୍ତି । ଆମେ କହୁଛୁ କାଶ୍ମୀର ପହଲଗାମର ଆକ୍ରମଣରେ ମୃତ୍ୟୁବରଣ କରିଥିବା କୋଲକାତାର ବାସିନ୍ଦା ବିତନ୍ ଅଧିକାରୀଙ୍କ ବିଷୟରେ ।
ସାଢ଼େ ତିନି ବର୍ଷର ଛୁଆ ଆଗରେ ବାପା ବିତନ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କୀ । ଆମେରିକାରୁ ନିଜ ଦେଶକୁ ଛୁଟିରେ ଆସିଥିଲେ ବୁଲିବା ପାଇଁ । ହେଲେ ସେ ମଜାମସ୍ତି ଏମିତି ଭୟଙ୍କର ରୂପ ନେବ ତାହା ହୁଏତ ଏ ପରିବାର ସ୍ୱପ୍ନରେ ସୁଦ୍ଧା ଭାବିନଥିବ । ମୂଳତଃ ପଶ୍ଚିମବଙ୍ଗର ବାସିନ୍ଦା ଏହି ପରିବାର କିଛି ବର୍ଷ ପୂର୍ବେ ସ୍ଥାୟୀ ଭାବରେ ଫ୍ଲୋରିଡାରେ ରହୁଥିଲେ । ବିତନ୍ ଟିସିଏସରେ ଚାକିରି କରିଥିଲେ । ସେ ଏପ୍ରିଲ ୮ ତାରିଖ ଦିନ ସମ୍ପର୍କୀୟମାନଙ୍କୁ ଭେଟିବା ପାଇଁ କୋଲକାତା ଆସିଥିଲେ ଏବଂ ଏହି ଆକ୍ରମଣ ସମୟରେ ସେ ପରିବାର ସହିତ କାଶ୍ମୀରରେ ଛୁଟି କଟାଉଥିଲେ ।
ଯାହାପରେ ଛାରଖାର ହୋଇଯାଇଛି ଏକ ପରିବାର । ବିତନଙ୍କ ସ୍ତ୍ରୀ ଶୋହିନୀ ଏକ ସାକ୍ଷାତକାରରେ ଆକ୍ରମଣର ଭୟଙ୍କର ଅନୁଭୂତି ସେୟାର କରିଛନ୍ତି । ସେ କହିଛନ୍ତି ପହଲଗାମରେ ବୁଲୁଥିବା ସମୟରେ ଏହି ଆତଙ୍କୀମାନେ ଆସି ପ୍ରଥମେ ପୁରୁଷମାନଙ୍କୁ ଅଲଗା କରି ଦେଇଥିଲେ, ଯାହାପରେ ସେମାନଙ୍କୁ ଧର୍ମ ପଚାରିଲେ । ତାପରେ ହିନ୍ଦୁମାନଙ୍କୁ ଜଣ ଜଣ କରି ଗୁଳି କରିବା ଆରମ୍ଭ କଲେ । ସ୍ତ୍ରୀ ଓ ୩ ବର୍ଷର ଛୁଆ ଆଗରେ ବିତନଙ୍କୁ ମାରି ଦେଇଥିଲେ ଆତଙ୍କବାଦୀ । ସେ କହିଛନ୍ତି ମୋ ଛୁଆର ଆଖି ସାମ୍ନାରେ ମୋ ସ୍ୱାମୀଙ୍କୁ ହତ୍ୟା କରାଯାଇଛି ।
ଏବେ ଜଣେ ମା’ ନିଜ ୩ ବର୍ଷର ଅବୋଧ ଛୁଆକୁ କିପରି ବୁଝାଇବ ଯେ ତା ବାପା ସବୁଦିନ ପାଇଁ ଏହି ଦୁନିଆ ଛାଡି ଚାଲିଯାଇଛନ୍ତି । ସତରେ ଅତି ହୃଦୟ ବିଦାରକ ଏ ଘଟଣା । ଅନ୍ୟପଟେ ପୁଅକୁ ହରାଇ ପାଗଳ ପ୍ରାୟ ହେଉଛନ୍ତି ବିତନଙ୍କ ବୃଦ୍ଧ ବାପା ମାଆ । ବିତନ୍ କେବଳ ଜଣେ ଭଲ ସ୍ୱାମୀ ଏବଂ ପିତା ନଥିଲେ, ବରଂ ବିଦେଶରେ ରହିବା ପରେ ମଧ୍ୟ ସେ ତାଙ୍କ ବୃଦ୍ଧ ଏବଂ ଅସୁସ୍ଥ ପିତାମାତାଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଉଥିଲେ । ତାଙ୍କ ବାପା ବୀରେଶ୍ୱର ଅଧିକାରୀ ଏବଂ ମାଆ ମାୟା ଅଧିକାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅନେକ ଦିନ ହେବ ଖରାପ ରହିଛି ।
ବିତନ ତାଙ୍କ ଚିକିତ୍ସା ପାଇଁ ବିଦେଶରୁ ଟଙ୍କା ପଠାଉ ଥିଲେ, ଯେମିତି କି ତାଙ୍କର ଔଷଧ ଏବଂ ଚିକିତ୍ସା ଭଲ ଭାବରେ ହୋଇପାରିବ । ସେ ବିଦେଶରେ ରହି ମଧ୍ୟ ନିଜ ବାପା ମାଆଙ୍କୁ କେବେବି ତାଙ୍କର ଅନୁପସ୍ଥିତି ଅନୁଭବ କରାଇ ନଥିଲେ । ଏବେ କେବଳ ନ୍ୟାୟ ଚାହୁଁଛନ୍ତି ବିତନଙ୍କ ପତ୍ନୀ ଶୋହିନୀ । ଖାଲି ନିଜ ସ୍ୱାମୀଙ୍କ ପାଇଁ ନୁହେଁ ବରଂ ସେହି ଦିନ ପ୍ରାଣ ହରାଇଥିବା ପ୍ରତ୍ୟେକ ନିର୍ଦ୍ଦୋଷ ବ୍ୟକ୍ତିଙ୍କ ପାଇଁ ।” ଅନ୍ୟପଟେ ତୃଣମୂଳ କଂଗ୍ରେସ ନେତା କୁନାଲ ଘୋଷ ମଧ୍ୟ ପୀଡିତାଙ୍କ ପରିବାରର ପକ୍ଷ ନେଇଥିଲେ ଏବଂ ନ୍ୟାୟ ପାଇଁ ସୋସିଆଲ ମିଡିଆରେ ଏକ ସାର୍ବଜନୀନ ଆବେଦନ କରିଥିଲେ ।
ଏହି ପରିବାରକୁ କ୍ଷତିପୂରଣ ଦେବା ସମୟରେ ବିତନଙ୍କ ପିତାମାତାଙ୍କ ଅବସ୍ଥା ବିଚାର କରିବାକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ପୁଅର ମୃତ୍ୟୁ ପରେ ଏବେ ଆହୁରି ଅସହାୟ ହୋଇପଡିଛନ୍ତି ବିତନଙ୍କ ବାପାମାଆ ଏବଂ ସ୍ତ୍ରୀ ଛୁଆ । ଏପଟେ କୁନି ପୁଅକୁ କିପରି ସମ୍ଭାଳିବେ ସେନେଇ ଦୁଃଖରେ ଭାଙ୍ଗିପଡିଛନ୍ତି ବିତନଙ୍କ ପତ୍ନୀ ଶୋହିନୀ । ଏହି ଘଟଣା ପାଇଁ ଏବେ ସମଗ୍ର ପଶ୍ଚିମବଙ୍ଗରେ ଶୋକର ଛାୟା ଖେଳି ଯାଇଛି ।
Also read: ନିର୍ଭିକତାର ସହ ଲଢ଼ିଲେ ସତ, କିନ୍ତୁ ଆତଙ୍କୀଙ୍କ ଗୁଳିର ଶିକାର ହେଲେ ସୟଦ ଆଦିଲ ହୁସେନ୍