ଶିକ୍ଷୟିତ୍ରୀଙ୍କୁ ୪ ଘଣ୍ଟା ଧରି ଡିଜିଟାଲ ଆରେଷ୍ଟ କରି ରଖିଲେ ସାଇବର ଠକ, ଝିଅ କଥା ଶୁଣି ହୃଦ୍‌ଘାତରେ ଚାଲିଗଲା ଜୀବନ

ଉତ୍ତର ପ୍ରଦେଶର ଆଗ୍ରାରେ ଜଣେ ସରକାରୀ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ୪ ଘଣ୍ଟା ଧରି ଡିଜିଟାଲ ଆରେଷ୍ଟ କରି ରଖାଯାଇଥିଲା । ହେଲେ ଡିଜିଟାଲ ଆରେଷ୍ଟ ସମୟରେ ହିଁ ଶିକ୍ଷୟିତ୍ରୀଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି । ଆଗ୍ରାର ଶାହଗଞ୍ଜ ଅଲବତିଆ ଅଞ୍ଚଳରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ପୋଲିସ ଇନ୍ସପେକ୍ଟର ପୋଷାକରେ ହ୍ୱାଟସ୍‌ଆପ୍‌ କଲ୍‌ କରିଥିବା ଜଣେ ବ୍ୟକ୍ତି ଶିକ୍ଷୟିତ୍ରୀଙ୍କୁ ଡିଜିଟାଲ ଆରେଷ୍ଟ କରି ରଖିଥିଲେ । ସେ କହିଥିଲେ ଯେ ଆପଣଙ୍କ ଝିଅ ସେକ୍ସ ରାକେଟ୍‌ରେ ଧରାପଡ଼ିଛନ୍ତି । ତାଙ୍କୁ ମୁୁକୁଳାଇବା ପାଇଁ ୧୫ ମିନିଟ୍‌ ଭିତରେ ୧ ଲକ୍ଷ ଟଙ୍କା ପଠାନ୍ତୁ । ନଚେତ୍‌ ଆମେ ଭିଡିଓ ଭାଇରାଲ କରିଦେବୁ । ବ୍ୟକ୍ତିଙ୍କଠାରୁ ଏ କଥା ଶୁଣି ଶିକ୍ଷୟିତ୍ରୀ ଜଣକ ବିଚଳିତ ହୋଇପଡ଼ିଥିଲେ ।

ସେ ପୁଅକୁ ୧ ଲକ୍ଷ ଟଙ୍କା ଟ୍ରାନ୍ସଫର କରିବାକୁ କହିଥିଲେ, ହେଲେ ଏହାରି ଭିତରେ ହିଁ ଶିକ୍ଷୟିତ୍ରୀ ହୃଦ୍‌ଘାତର ଶିକାର ହୋଇଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ବଞ୍ଚାଯାଇ ପାରି ନ ଥିଲା ।

ମା’ଙ୍କ ମୃତ୍ୟୁ ଏବଂ ପୂରା ଘଟଣା ସମ୍ପର୍କରେ ଶିକ୍ଷୟିତ୍ରୀଙ୍କ ପୁଅ ଦୀପାଂଶୁ ପୋଲିସକୁ କହିଥିଲେ । ଏବେ ପୋଲିସ ସାଇବର ଠକମାନଙ୍କୁ ଟ୍ରେସ୍‌ କରିବାକୁ ଉଦ୍ୟମ କରୁଛି । କୁହାଯାଉଛି ଯେ ଡିଜିଟାଲ ଆରେଷ୍ଟରେ ଏହା ହେଉଛି ପ୍ରଥମ ମୃତ୍ୟୁ । ଖୁବ୍‌ ଜଲ୍‌ଦି ସାଇବର ଠକମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

ପୋଲିସ ସୂଚନା ମୁତାବକ, ଆଗ୍ରାର ସୁଭାଷ ନଗରରେ ରହୁଥିବା ମାଲତି ବର୍ମା ସ୍ଥାନୀୟ ଏକ ହାଇସ୍କୁଲର ଶିକ୍ଷୟିତ୍ରୀ ଥିଲେ । ଗତ ସେପ୍ଟେମ୍ବର ୩୦ ତାରିଖ ମଧ୍ୟାହ୍ନ ୧୨ଟାରେ ତାଙ୍କ ସହିତ ଏହି ଘଟଣା ଘଟିଥିଲା ।