ରାଜସ୍ଥାନ: ଟ୍ରାକ୍ଟର ଉପରେ ଛିଣ୍ଡି ପଡ଼ିଲା ୧୧ କେଭି ତାର, କରେଣ୍ଟ୍‌ ଲାଗି ଜୀବନ୍ତ ଜଳିଗଲେ ନାବାଳକ

ରାଜସ୍ଥାନର ଭିଲ୍‌ଓ୍ଵାଡ଼ା ଜିଲ୍ଲାରେ ଘଟିଛି ଏକ ହୃଦୟବିଦାରକ ଘଟଣା । ଏଠାରେ ସୋମବାର ସକାଳେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । କ୍ଷେତରେ ଛିଡ଼ା ହୋଇଥିବା ଏକ ଟ୍ରାକ୍ଟର ଉପରେ ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ତାର ହଠାତ୍‌ ଛିଣ୍ଡି ପଡ଼ିଥିଲା । ଫଳରେ କରେଣ୍ଟ୍‌ ଲାଗି ଚକ ଫାଟିଯିବାରୁ ପୂରା ଟ୍ରାକ୍ଟରରେ ମାତ୍ର କିଛି ସେକେଣ୍ଡରେ ନିଆଁ ଲାଗି ଯାଇଥିଲା । ଏହି ସମୟରେ ଟ୍ରାକ୍ଟରରେ ଥିବା ୧୭ ବର୍ଷୀୟ ନାବାଳକ ନିଜ ଜୀବନ ରକ୍ଷା କରିପାରି ନ ଥିଲେ । ଘଟଣାସ୍ଥଳରେ ହିଁ ସେ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ ।

ପୋଲିସ ସୂଚନା ମୁତାବକ, ମୃତ ନାବାଳକଙ୍କ ନାଁ ଦେବରାଜ । ସେ ଦୁର୍ଘଟଣା ପୂର୍ବରୁ ଟ୍ରାକ୍ଟରରୁ ମାଟି ଖାଲି କରୁଥିଲେ । ଥାନା ଅଧିକାରୀ ନରପତ ରାମ କହିଛନ୍ତି ଯେ ଘଟଣା ଜହାଜପୁର ଥାନା ଅଧୀନ ବିଲୋଟା ଗାଁରେ ଘଟିଛି । ଏଠାକାର ବାସିନ୍ଦା ନନ୍ଦଲାଲ ଏବଂ ତାଙ୍କର ୧୭ ବର୍ଷୀୟ ପୁଅ ଟ୍ରାକ୍ଟରରେ ମାଟି ଭର୍ତ୍ତି କରି କ୍ଷେତକୁ ଯାଇଥିଲେ ।

ସେଠାରେ ପହଞ୍ଚିବା ପରେ ଟ୍ରାକ୍ଟର ଚାଳକ ଗାଡ଼ି ଛିଡ଼ା କରାଇ କିଛି ଦୂରରେ ଯାଇ ବସିଥିଲେ । ଯେତେବେଳେ କି, ନନ୍ଦଲାଲ ସେଠି ଛିଡ଼ା ହୋଇଥିଲେ । ଦେବରାଜ ଟ୍ରାକ୍ଟରରୁ ମାଟି ଖାଲି କରୁଥିଲେ । ହଠାତ୍‌ ଏହି ସମୟରେ ୧୧ କେଭି ତାର ଟ୍ରାକ୍ଟର ଉପରେ ଛିଣ୍ଡି ପଡ଼ିଥିଲା । ଫଳରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ହିଁ ଦେବରାଜ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ପୋଲିସ ପହଞ୍ଚି ଘଟଣା ବିଷୟରେ ଅବଗତ ହୋଇଥିଲା । ପରେ ମୃତଦେହର ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିିଛି ।

ସେପଟେ ଖବର ଜାଣି ପୂର୍ବତନ ବିଧାୟକ ଏବଂ ବିଦ୍ୟୁତ୍‌ ବିଭାଗର ଅଧିକାରୀମାନେ ହସ୍ପିଟାଲରେ ପହଞ୍ଚିଥିଲେ । ପୋଲିସ ଏହି ଘଟଣାରେ ସମ୍ବନ୍ଧିତ ଧାରାରେ ମାମଲା ରୁଜୁ କରିଛି ।