ମାମୁଁ ଟଙ୍କାରେ ଭଣଜା ସାଜିଥିଲେ ନକଲି ଆଇପିଏସ୍, ମାଡ଼ିବସିଲା ପୋଲିସ

ବୟସ ମାତ୍ର ୧୮ ବର୍ଷ । ପିଲାଦିନୁ ସ୍ବପ୍ନ ଥିଲା ଆଇପିଏସ୍ ହେବେ। କିନ୍ତୁ ଏହି ସ୍ବପ୍ନ ଏମିତି ଭାରି ପଡ଼ିବ ବୋଲି ଭାବି ନଥିଲେ । ଯେଉଁଥିପାଇଁ ତାଙ୍କୁ ଶେଷରେ ଜେଲ୍ ଯିବାକୁ ପଡ଼ିଥିଲା । ଏକଥା ଶୁଣି ଆପଣଙ୍କୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ବିସ୍ମୟକର ମଧ୍ୟ ।

ମାମୁଁ ଟଙ୍କାରେ ଭଣଜା ସାଜିଥିଲେ ନକଲି ଅଫିସର୍ । ୨ ଲକ୍ଷ ଟଙ୍କା ଦେଇ ସାଜିଥିଲେ ଆଇପିଏସ୍ । ନକଲି ଆଇପିଏସକୁ ମାଡ଼ିବସିଲା ପୋଲିସ । ଏଭଳି ଚକିତ କଲା ଭଳି ଘଟଣା ଜାମୁଇ ରେ ଦେଖିବାକୁ ମିଳିଛି ।

ନକଲି ଆଇପିଏସ୍ ଭାବରେ ପୋଜ୍ ଦେଇ ବୁଲୁଥିବା ଜଣେ ଯୁବକଙ୍କୁ ସିକନ୍ଦର ପୋଲିସ ଗିରଫ କରିଥିଲା । ପୋଲିସ ପଚରାଉଚରା ବେଳେ ସେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଥିଲେ । ଯାହା ଶୁଣିଲେ ଆପଣ ହତବାକ୍ ହୋଇ ରହିବେ । ଯୁବକ ଜଣକ କହିଛନ୍ତି ଯେ, ସେ ୨ ଲକ୍ଷ ଟଙ୍କା ଦେଇ ଆଇପିଏସ୍ ହୋଇଥିଲେ । ଟଙ୍କା ଦେବା ପରେ ସେ ୟୁନିଫର୍ମ ଏବଂ ନକଲି ପିସ୍ତଲ ପାଇଲେ ।

ଯୁବକ ଜଣକ ହେଉଛନ୍ତି ଲାଖାଇସରାଇ ଜିଲ୍ଲାର ହାଲସି ପୋଲିସ ଷ୍ଟେସନ ଅଞ୍ଚଳର ଗୋବର୍ଦ୍ଧନ ବିଗହା ଗାଁର ମିଥଲେଶ କୁମାର । ସିକନ୍ଦର ଜାମୁଇ ମୁଖ୍ୟ ରାସ୍ତାରେ ଅବସ୍ଥିତ ବନ୍ଧନ ବ୍ୟାଙ୍କ ନିକଟରୁ ପୋଲିସ ତାଙ୍କୁ ଗିରଫ କରିଛି । ଏହା ପରେ ପୋଲିସ ୨ ଲକ୍ଷ ଟଙ୍କା ଏବଂ ପଲସର ବାଇକ ଜବତ କରିଛି ।

ପଚରାଉଚରା ବେଳେ ମିଥଲେଶ ପୋଲିସକୁ କହିଥିଲେ ଯେ, ସେ ଖଇରା ନିବାସୀ ମନୋଜ ସିଂଙ୍କୁ ୨ ଲକ୍ଷ ଟଙ୍କା ଦେଇଛନ୍ତି । ସେ ମୋତେ କହିଥିଲେ ଯେ ସେ ତାଙ୍କୁ ଆଇପିଏସ୍ କରିବେ । ତା’ପରେ ସେ ମୋତେ ପୋଲିସ୍ ୟୁନିଫର୍ମ ଏବଂ ଏକ ନକଲି ପିସ୍ତଲ ଦେଇଥିଲେ ।

ଯୁବକଙ୍କୁ ନକଲି ଆଇପିଏସ୍ କରିବାରେ ତାଙ୍କର ଭୂମିକା ଥିବାରୁ ମନୋଜ ସିଂଙ୍କୁ ପୋଲିସ ଏବେ ଖୋଜୁଛି । ତେବେ ଯୁବକଙ୍କୁ ଦେଖିଲେ ଲାଗୁଛି ଯେ, ତାଙ୍କର ପୋଲିସ ଅଫିସର ହେବା ପାଇଁ ଆଗ୍ରହ ଅଛି, ଯେଉଁଥିପାଇଁ ଯୁବକଙ୍କୁ ୨ ଲକ୍ଷ ଟଙ୍କା ଠକେଇ କରାଯାଇଥିଲା ।

ତେବେ ଆଇପିଏସ୍ ଅଧିକାରୀଙ୍କ ନାମରେ ସମାଜରେ ବୁଲିବା ଏକ ବଡ ଅପରାଧ । ପୋଲିସ ଉକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି ଜେଲକୁ ପଠାଇଛି । ଜଣେ ଯୁବକଙ୍କୁ ଏପରି ନକଲି ଆଇପିଏସ୍ ଅଧିକାରୀ ହେବାର ପ୍ରତିଶୃତି ଦେଇ ତାଙ୍କ ସହ ପ୍ରତାରଣା କରିଥିବା ଅଭିଯୋଗରେ ମନୋଜ ସିଂଙ୍କୁ ଗିରଫ କରାଯିବ । ପୋଲିସ ତାଙ୍କୁ ଯଥା ଶୀଘ୍ର ଧରିବାକୁ ଚଳାଇଛି ପ୍ରୟାସ ।  ମିଥଲେଶଙ୍କ ପରି ଅନ୍ୟ ଲୋକ ଏହି ପ୍ରତାରଣାର ଶିକାର ନ ହୁଅନ୍ତୁ ବୋଲି ଚାହୁଁଛନ୍ତି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like