ଅନ୍ତିମ ସଂସ୍କାର ପାଇଁ ହୋଇସାରିଥିଲା ପ୍ରସ୍ତୁତି, ହେଲେ ମା’ ର କାନ୍ଦ ଶୁଣି ମୃତ ପୁଅର ଆଖିରୁ ବାହାରିବାକୁ ଲାଗିଲା ଲୁହ

ବେନ୍ ଡେଡ୍ ଘୋଷଣା କରିସାରିଥିଲେ ଡାକ୍ତର । ଅନ୍ତିମ ସଂସ୍କାର ପାଇଁ ପସ୍ତୁତି କରିସାରିଥିଲେ ପରିଜନ । ହେଲେ . . . ହେଲେ କାନ୍ଦୁଥିବା ମା’ ର ବୁକୁ ଫଟା ଚିତ୍କାର ଶୁଣି ମୃତ ପୁଅ ଆଖିରୁ ବାହାରିବାକୁ ଲାଗିଲା ଲୁହ । ଏଭଳି ଏକ ଚମତ୍କାର ଘଟିଛି ତେଲେଙ୍ଗାନାରେ । ଘଟଣା ପରେ ଗ୍ରାମବାସୀ ତୁରନ୍ତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏବେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ।
ସୂଚନା ଅନୁସାରେ, ଜ୍ବର ହୋଇଥିବାରୁ ୨୬ ଜୁନରେ ତେଲେଙ୍ଗାନାର ପେଲ୍ଲୋଲମେରୀ ଗାଁର ଗନ୍ଧମ କିରଣ ନାମକ ଜଣେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହା ପରେ ଧୀରେ ଧୀରେ କିରଣଙ୍କ ସ୍ବାସ୍ଥ୍ୟ ବିଗିଡିବାକୁ ଲାଗିଥିଲା । ଏପରିକି ୩ ଜୁଲାଇରେ କୋମାକୁ ଚାଲିଯାଇଥିଲେ । ଏହା ପରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ ।
ଏହା ପରେ କିରଣଙ୍କୁ ଘରକୁ ନେଇ ଯାଇଥିଲେ ଏବଂ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି କରିଥଲେ ପରିଜନ । ତେବେ ଏହି ସମୟରେ ଦେଖିବାକୁ ମିଳିଥିଲା ଚମତ୍କାର । ପୁଅ ନିକଟରେ ମା’ ବସି ଜୋରରେ କାନ୍ଦୁଥିବା ସମୟରେ ମୃତ ପୁଅ ଆଖିରୁ ମଧ୍ୟ ଝରିଥିଲା ଲୁହ । ଯାହାର ମସ୍ତସ୍କ ଡେଡ୍ ହୋଇଯାଇଥିଲା , ଯାହାର ଅନ୍ତିମ ସଂସ୍କାର ହେବାର ଥିଲା ଏବେ ସେ ଯୁବକ ସୁସ୍ଥ ହେଉଛନ୍ତି । ଏବେ ପରିବାର ଲୋକଙ୍କ ସହ କଥା ହେଉଛନ୍ତି ।