ଆଉ ସହି ପାରିଲେନି, ମଦୁଆ ପୁଅକୁ ସୁପାରୀ କିଲର ହାତରେ ମାରି ଦେଲେ ବାପା ମା

ବାପା ମା ପିଲାକୁ ଜନ୍ମ ଦିଅନ୍ତି, ତାକୁ ପାଳି ପୋଷି ବଡ଼ କରନ୍ତି । ନିଜର ଓ ପିଲାର ଭବିଷ୍ୟତ ପାଇଁ । ତା ଲାଗି ନିଜ ରକ୍ତ ନିଗାଡ଼ି ପରିଶ୍ରମ କରନ୍ତୁ ଭଲ ମଣିଷ କରିବା ପାଇଁ । ଆଉ ଯଦି ପିଲା ଭଲ ଜାଗାରେ ମନ୍ଦ ହୋଇ ବାହାରେ ତ ବାପା ମା’ଙ୍କର ହୃଦୟ ଭାଙ୍ଗିଯାଏ । ଓଡ଼ିଆରେ ଗୋଟିଏ କଥା ଅଛି, ‘ପୁଅ ଯଦି ଯୋଗା ଧନ କାହିଁ ପାଇଁ ସଞ୍ଚୁ… ପୁଅ ଯଦି ଅଯୋଗା ଧନ କାହିଁ ପାଇଁ ସଞ୍ଚୁ’ । ଏହାର ଅର୍ଥ ହେଉଛି, ପୁଅ ଯଦି ଯୋଗ୍ୟ ହେଲେ ସେ ନିଜେ ନିଜର ଜୀବନକୁ ସଜାଡ଼ି ନେବେ । ଆଉ ଯଦି ଅଯୋଗ୍ୟ ହେଲେ ତେବେ ଯାହା ସଞ୍ଚିଥିବ ତାକୁ ଉଡ଼ାଇ ଦେବେ । କିନ୍ତୁ ପୁଅ ଯଦି ଦୁର୍ଦ୍ଦାନ୍ତ ହୁଏ, ଖାଲି ବାହାର ନୁହେଁ ଘରେ ବି ବାପା ମା’ଙ୍କ ଉପରେ ଅତ୍ୟାଚାର କରେ ତେବେ କଣ ହେବ ? ବୃଦ୍ଧ ବାପା ମା ସହିବେ ନା ବିରୋଧ କରିବେ ? ଏମିତି ଜଣେ କୁଳାଙ୍ଗାର ପୁଅକୁ ନେଇ ଘଟିଛି ଘଟଣା।
ତେଲେଙ୍ଗାନା ଖମାମ ଅଞ୍ଚଳରେ ଘଟିଥିବା ଏହି ଘଟଣା ଆପଣଙ୍କ ଛାତି ଥରାଇ ଦେବ। ପିଲା ଦୁଷ୍ଟ ହେଲେ ବାପା ମା’ ଆକଟ କରନ୍ତି। କିନ୍ତୁ ତାକୁ ଜୀବନରୁ ମାରି ଦେବା କଥା ବୋଧହୁଏ କେହିବି ଚିନ୍ତା କରି ପାରନ୍ତି ନାହିଁ। ତେବେ ନିଜର ୨୬ ବର୍ଷର ପୁଅ ମଦ ପିଇ ସବୁ ବେଳେ ଗାଳି ଗୁଲଜ ଓ ମାଡ଼ ମାରିବାରୁ ଏଥିରେ ଅତିଷ୍ଠ ହୋଇ ଗୋଟିଏ ବୃଦ୍ଧ ଦମ୍ପତି ସୁପାରି କିଲର ଦ୍ୱାରା ନିଜ ଜନ୍ମକଲା ପୁଅକୁ ହତ୍ୟା କରିଛନ୍ତି।

ବୃଦ୍ଧ ଦମ୍ପତି ତାଙ୍କ ପୁଅ ସାଇରାମର ନିର୍ଯାତନାରେ ଏମିତି ବିରକ୍ତ ହୋଇଗଲେ ଯେ ଶେଷରେ ବାଟ ଖୋଜିଲେ ଯେମିତି ତା ଠାରୁ ସବୁ ଦିନ ପାଇଁ ମୁକ୍ତି ପାଇବେ । ତେଣୁ ସୁପାରୀ ଦେଇ ପୁଅକୁ ହତ୍ୟା କରିଛନ୍ତି। ତେଲେଙ୍ଗାନା ଖମାମ ଜିଲ୍ଲାର ବାସିନ୍ଦା ହେଉଛନ୍ତି ଏହି ବୃଦ୍ଧ ଦମ୍ପତି । ଏ ବୟସରେ ସେମାନେ ପୁଅର ସ୍ନେହ ଶ୍ରଦ୍ଧା ଏବଂ ଯତ୍ନ ଚାହୁଁଥିଲେ । ହେଲେ ଏସବୁ ବଦଳରେ ପୁଅ ଦେଇ ଚାଲିଲା କଷ୍ଟ। ପ୍ରତି ଦିନ ମଦ ପିଇ ନିଶାରେ ବାପା ମା’ଙ୍କୁ ଗାଳି ଗୁଲଜ କରୁଥିଲା, ମାଡ଼ ବି ମାରିବାକୁ ପଛାଉ ନଥିଲା । କଲେଜ ଅଧାରୁ ପାଠ ଛାଡ଼ି କେବଳ ମଦ ପିଇ ନିଶାରେ ଚୁର ରହୁଥିଲା ।

ମଦ ପିଇବାକୁ ପଇସା ନଦେଲେ ଗାଳିଗୁଲଜ କରିବା ସହ ମାରପିଟ କରୁଥିଲା। ତେଣୁ ବହୁତ ଚିନ୍ତା କରି ଶେଷରେ ଗତ ଅକ୍ଟୋବର ୧୮ ତାରିଖ ଦିନ ପୁଅକୁ ସୁପାରୀ କିଲର ଦ୍ୱାରା ହତ୍ୟା କରାଇଲେ ବାପା ମା । ଅଭିଯୁକ୍ତ ବୃଦ୍ଧ ଦମ୍ପତି ହେଉଛନ୍ତି କେ. ରାମ ସିଂ ଏବଂ ତାଙ୍କ ପତ୍ନୀ ରାନୀ ବାଇ। ରାମ ସିଂ ସରକାରୀ ଗୁରୁକୁଳରେ ପ୍ରିନସିପାଲ ଥିଲେ ।ସେମାନେ ଆଗରୁ ପୂରା ଯୋଜନା କଲେ। ଅକ୍ଟୋବର ୧୮ରେ, ପୁଅ ସାଇରାମଙ୍କୁ ତାଙ୍କ ମାମୁଁ ନାଲଗୋଣ୍ଡା ଜିଲ୍ଲାର ଏକ ପାର୍ଟିକୁ ନେଇ ଯାଇଥିଲେ।

କାଲେପାଲ୍ଲୀର ଏକ ମନ୍ଦିରକୁ ନେଇ ସୁପାରି କିଲରଙ୍କ ସହ ସାଇରାମଙ୍କୁ ପ୍ରଚୁର ମଦ ପିଆଇଥିଲେ। ଏହା ପରେ ସୁପାରି କିଲର ଗ୍ୟାଙ୍ଗ ଏକ ଦଉଡିରେ ସାଇରାମର ତଣ୍ଟି ଚିପି ହତ୍ୟା କରିଥିଲେ। ଏକଥା ରାମ ସିଂହ ଏବଂ ତାଙ୍କ ସ୍ତ୍ରୀ ପୋଲିସ୍‌ ଆଗରେ ମାନି ଯାଇଛନ୍ତି । ତା’ପରେ ସୁପାରୀ କିଲରମାନେ ପୁଅର ମୃତଦେହକୁ କାର୍‌ରେ ନେଇ ସୂର୍ଯ୍ୟପେଟ ଜିଲ୍ଲାର ମୁସି ନଦୀରେ ପକାଇ ଦେଇଥିଲେ। ତେବେ ଏମାନେ ଧରାପଡ଼ିବା ପଛରେ ଥିଲା ପରିବାରର କାର୍‌ର ଭୂମିକା। ସେମାନେ ମୃତଦେହକୁ ଘରର କାର୍‌ରେ ନେଇ ନଦୀରେ ପକାଇ ଦେଇଥିଲେ। ଯାହା ସିସିଟିଭିରେ କଏଦ ହୋଇଥିଲା। ଆଉ ଏକ କାରଣ ହେଉଛି, ପୁଅ ସାଇରାମ ଅକଟୋବର ୧୮ରୁ ନିଖୋଜ ଥିଲେ ମଧ୍ୟ ବାପା ମା ଏହାର ୧୦ ଦିନ ପରେ ଯାଇ ପୋଲିସ ପାଖରେ ଅଭିଯୋଗ କରିଥିଲେ। ଏସବୁ ପୋଲିସ୍‌କୁ ସନ୍ଦେହରେ ପକାଇବାରୁ ରାମ ସିଂ ଓ ରାନୀଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ । ତେବେ ଏହି ବୃଦ୍ଧ ଦମ୍ପତି ଆଉ ବେଶି ସମୟ ନିଜ ପାପକୁ ଲୁଚାଇ ନପାରି ସବୁ ସ୍ୱୀକାର କରି ଯାଇଥିଲେ।

ଏହି ଦମ୍ପତିଙ୍କୁ ସୋମବାର ଦିନ ପୋଲିସ୍‌ ଗିରଫ କରିଛି। ପୁଅକୁ ହତ୍ୟା କରିବା ପାଇଁ ସେମାନେ ସୁପରୀ କିଲରଙ୍କୁ ୮ ଲକ୍ଷ ଟଙ୍କା ଦେବେ ବୋଲି ସ୍ଥିର ହୋଇଥିଲା। ଅଗ୍ରୀମ ଭାବେ ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ। ଚାରି ଜଣ ସୁପରୀ କିଲରଙ୍କୁ ଏହି କାମ କରିବା ପାଇଁ ଆଣିବାରେ ରାମ ସିଂଙ୍କ ପତ୍ନୀ ରାଣୀଙ୍କ ଭାଇ ସତ୍ୟନାରାୟଣଙ୍କର ହାତ ଥିଲା। ସେ ହିଁ ଭଣଜାକୁ ନେଇ ମନ୍ଦିରରେ ସୁପାରି କିଲରଙ୍କ ସହ ମଦ ପିଆଇଥିଲେ।

ଏବେ ଆପଣମାନଙ୍କ ଉପରେ ନିଷ୍ପତ୍ତି। ଯଦିଓ ହତ୍ୟା ପାଇଁ ଏହି ବୃଦ୍ଧ ବାପା ମା ଏବେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ପାଇ ପାରନ୍ତି ତେବେ ମାନବିକତା ଆପଣ କଣ କହିବାକୁ ଚାହିଁବେ ଆମକୁ କମେଣ୍ଟ ବକ୍ସରେ ଲେଖି ଜଣାନ୍ତ। ତେବେ ଏଭଳି ଘଟଣା ଉଭୟ ବାପା ମା ଓ ପିଲାଙ୍କ ପାଇଁ ଗୋଟିଏ ବଡ଼ ଶିକ୍ଷା ନିଶ୍ଚୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.