ବୁର୍କିନା ଫାସୋରେ ଆତଙ୍କୀ ଆକ୍ରମଣ: କ୍ଷେତରେ କାମ କରୁଥିବା ବେଳେ ଚାଷୀଙ୍କ ଉପରେ ଆଖିବୁଜା ଗୁଳି, ୪୧ ମୃତ

ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋର ବୋଉକଲ୍‌ ଡୁ ମାହାନ୍‌ ଅଞ୍ଚଳର ଚାଷୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏଥିରେ ୪୧ ଜଣଙ୍କ ମୃତ୍ୟୁ ହୋଇଛି।

ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋର ବୋଉକଲ୍‌ ଡୁ ମାହାନ୍‌ ଅଞ୍ଚଳର ଚାଷୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏଥିରେ ୪୧ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣା ପରଠାରୁ ଉକ୍ତ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ବୋଉକଲ୍‌ ଡୁ ମାହାନ୍‌ ଅଞ୍ଚଳର ରାଜ୍ୟପାଳ ଏହି ସୂଚନା ଦେଇଛନ୍ତି।

ରାଜ୍ୟପାଳ ବାବୋ ପିୟରେ ବାସିଙ୍ଗା ଏହି ଆକ୍ରମଣକୁ ବର୍ବର ବୋଲି କହିଛନ୍ତି। ସେ ଏକ ବିବୃତ୍ତିରେ କହିଛନ୍ତି ଯେ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏହି ଆକ୍ରମଣ ହୋଇଥିଲା। ଏହି ସମୟରେ ଚାଷୀମାନେ ମାହନ ନଦୀ କୂଳରେ ନିଜ କ୍ଷେତରେ କାମ କରୁଥିଲେ। ତେବେ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଉଥିବା ସେ କହିଛନ୍ତି। ଏଥିପାଇଁ ସେ ଲୋକଙ୍କୁ ସତର୍କ ରହିବାକୁ ଏବଂ ସୁରକ୍ଷା ବାହିନୀକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।

ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି ଯେ ଆତଙ୍କବାଦୀମାନେ ମୋଟରସାଇକେଲରେ ଆସିଥିଲେ ଏବଂ ସେମାନଙ୍କ ପାଖରେ ଭୟଙ୍କର ଅସ୍ତ୍ରଶସ୍ତ୍ର ରହିଥିଲା। ସେମାନେ ଚାଷୀମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲେ।

ଏହାପୂର୍ବରୁ ବି ଏପ୍ରିଲ୍ ୨୮ରେ ବୁର୍କିନା ଫାସୋରେ ଏକ ସେନା ୟୁନିଟ୍ ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ୩୩ ସୈନିକ ପ୍ରାଣ ହରାଇଥିବା ବେଳେ ୧୨ ଜଣ ଆହତ ହୋଇଥିଲେ।

କହି ରଖୁଛୁ ଯେ ବୁର୍କିନା ଫାସୋ ପଶ୍ଚିମ ଆଫ୍ରିକୀୟ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁଠାରେ ହିଂସାତ୍ମକ ଇସଲାମ ବିଦ୍ରୋହ ଚାଲିଛି। ଗତ ଆଠ ବର୍ଷ ମଧ୍ୟରେ ଆତଙ୍କବାଦ ଘଟଣା ବୃଦ୍ଧି ପାଇଛି। ଏଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ମିଲିୟନରୁ ଅଧିକ ନାଗରିକ ବିସ୍ଥାପିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.