କଶ୍ମୀରରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ, ୨୭ ପର୍ଯ୍ୟଟକଙ୍କ ମୃତ୍ୟୁ ଆଶଙ୍କା, ଜଣେ ଓଡ଼ିଆ ପର୍ଯ୍ୟଟକ ମୃତ

କଶ୍ମୀରରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ। ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼ରେ ୨୭ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ଆକ୍ରମଣରେ ୨ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କାରହିଛି। ମୃତକଙ୍କ ମଧ୍ୟରେ ବାଲେଶ୍ବର ଜିଲ୍ଲାର ଜଣେ ପର୍ଯ୍ୟଟକ ରହିଛନ୍ତି। ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାଁଓ ଅଞ୍ଚଳରେ ହୋଇଛି ଆତଙ୍କବାଦୀ ଆକ୍ରମଣ। ପର୍ଯ୍ୟଟକ ମାନେ ଏକ ବଜାରରେ ଥିବା ବେଳେ ହଠାତ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ। ପୋଲିସ ଓ ସେନା ୟୁନିଫର୍ମରେ ଆସି ଗୁଳିବର୍ଷା କରିଥିଲେ। ବର୍ବର ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା।

ଏହି ଘଟଣାରେ ସେ ଗଭୀର ଦୁଃଖ ପ୍ରକାଶ କରିବା ସହ ଏହାକୁ କାପୁରୁଷଙ୍କ କାମ ବୋଲି କହିଛନ୍ତି। ପହଲଗାଓଁରେ ପହଞ୍ଚିଛନ୍ତି ଓମାର ଅବଦୁଲ୍ଲା। ଆତଙ୍କବାଦୀ ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବରିଷ୍ଠ ଗୁଇନ୍ଦା ଅଧିକାରୀଙ୍କ ସହ ଆଲୋଚନା ପରେ ଶ୍ରୀନଗର ଗସ୍ତ କରି ସେଠାରେ ପହଞ୍ଚିଛନ୍ତି ଶାହ। ରାଜଭବନରେ ସୁରକ୍ଷା ଅଧିକାରୀଙ୍କ ସହ ସ୍ଥିତି ସଂପର୍କରେ ଆଲୋଚନା କରିବେ। ଆତଙ୍କବାଦୀଙ୍କୁ ନିପାତ କରିବାକୁ ସୁରକ୍ଷା କର୍ମୀମାନେ ପୁରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ସିଆରପିଏଫ ସହ ଅତିରିକ୍ତ କ୍ବିକ ଆକ୍ସନ ଟିମ ଘଟଣାସ୍ଥଳରେ ନିୟୋଜିତ ହୋଇଛନ୍ତି।

ହେଲ୍ପ ଲାଇନ ନମ୍ବର ଜାରି କରିଛି ଅନନ୍ତନାଗ ପୋଲିସ ।  ହେଲ୍ପ ଲାଇନ ନମ୍ବର- 9596777669/01932225870 ରେ ଯୋଗାଯୋଗ କରିପାରିବେ । ଜମ୍ମୁ କଶ୍ମୀରର ପହଲଗାମରେ ଆଜି ଅପରାହ୍ଣରେ ଘଟିଥିବା ଆତଙ୍କବାଦୀଙ୍କ ଗୁଳିମାଡ଼ର ଜଣେ ଓଡ଼ିଆ ପର୍ଯ୍ୟଟକ ମୃତ୍ୟୁ ବରଂ କରିଛନ୍ତି । ମୃତକ ହେଉଛନ୍ତି ବାଲେଶ୍ବର ସଦର ବ୍ଲକ ସାରଗାଁ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଦିଅର ପ୍ରଶାନ୍ତ ଶତପଥୀ । ଆତଙ୍କବାଦୀଙ୍କ ଗୁଳିମାଡ଼ର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି ସେ । ସେ ଗତ ୧୯ ତାରିଖ ଦିନ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କୁ ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ। ଆଜି ସେଠାରେ ପୁଅ ଓ ପତ୍ନୀଙ୍କ ସହିତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କ ଉପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ପ୍ରଶାନ୍ତଙ୍କ ମୃତ୍ୟୁ ନେଇ ଜମ୍ମୁ କଶ୍ମୀର ଅନନ୍ତନାଗ ପୁଲିସ ସ୍ପଷ୍ଟ କରିଛି।