ରୁଷ୍ର ଦାଗିସ୍ତାନରେ ମୃତ୍ୟୁର ଖେଳ; ଆତଙ୍କୀ ଗୁଳିରେ ପାଦ୍ରୀ ଓ ପୋଲିସ କର୍ମୀଙ୍କ ସମେତ ୧୫ ମୃତ, ୬ ଆତଙ୍କବାଦୀ ନିହତ

ରୁଷ୍ର ଦାଗିସ୍ତାନରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜଣେ ପାଦ୍ରୀ ଓ ପୋଲିସ ଅଧିକାରୀଙ୍କ ସମେତ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ରୁଷ୍ର ସୁରକ୍ଷା ବାହିନୀ ୬ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ।
ରୁଷ୍ର ଉତ୍ତର କାକେଶସ୍ ଅଞ୍ଚଳ ଦାଗିସ୍ତାନରେ ଆତଙ୍କବାଦୀମାନେ ଏକ ସିନେଗଗ୍, ଦୁଇଟି ଚର୍ଚ୍ଚ ଏବଂ ଏକ ପୋଲିସ ପୋଷ୍ଟକୁ ଟାର୍ଗେଟ୍ କରିଥିଲେ । ଏହି ଆକ୍ରମଣରେ ପୋଲିସ ଅଧିକାରୀ, ଜଣେ ପାଦ୍ରୀଙ୍କ ସମେତ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ୨୫ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି ।
ରୁଷ୍ର ଅଧିକାରୀମାନେ ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆତଙ୍କୀ ଆକ୍ରମଣର ତଦନ୍ତ ଆରମ୍ଭ କରାଯାଇଛି । ସିନେଗଗ୍ ଓ ଚର୍ଚ୍ଚ ଡର୍ବେଣ୍ଟ୍ରେ ରହିଛି, ଯାହା ମୁସଲମାନ ବହୁଳ ଉତ୍ତର କାକେଶସ୍ ଅଞ୍ଚଳରେ ପ୍ରାଚୀନ ଯିହୁଦୀ ସମ୍ପ୍ରଦାୟର ଗଡ଼ । ପ୍ରାୟ ୧୨୫ କିଲୋମିଟର ଦୂରରେ ଥିବା ଦାଗିସ୍ତାନର ରାଜଧାନୀ ମାଖଚକାଲାରେ ଏକ ପୋଲିସ ପୋଷ୍ଟ ଉପରେ ଆତଙ୍କୀ ଆକ୍ରମଣ ହୋଇଛି ।
ରୁଷୀୟ ଗୃହ ମନ୍ତ୍ରଣାଳୟ କହିଛି ଯେ ଅଜଣା ଲୋକମାନେ ଅଟୋମେଟିକ୍ ଅସ୍ତ୍ର ପ୍ରୟୋଗ କରି ସିନେଗଗ୍ ଓ ଚର୍ଚ୍ଚ ଉପରେ ଗୁଳି ବର୍ଷା କରିଥିଲେ । ଚର୍ଚ୍ଚରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ପାଦ୍ରୀ ମଧ୍ୟ ଥିଲେ । ଦାଗିସ୍ତାନ ପବ୍ଲିକ ମନିଟରିଂ କମିଶନର ଅଧ୍ୟକ୍ଷ ଶମିଲ ଖାଦୁଲେଭଙ୍କ ସୂଚନା ଅନୁସାରେ, ୬୬ ବର୍ଷୀୟ ପାଦ୍ରୀ ନିକୋଲେଙ୍କୁ ଡର୍ବେଣ୍ଟ ଚର୍ଚ୍ଚରେ ହତ୍ୟା କରାଯାଇଥିଲା । ଆତଙ୍କୀମାନେ ତାଙ୍କ ଗଳା କାଟି ଦେଇଥିଲେ । ସେ ବହୁତ ଅସୁସ୍ଥ ଥିଲେ ।
ଦକ୍ଷିଣ କାକେଶସ୍ରେ ଯିହୁଦୀ ସମ୍ପ୍ରଦାୟର ଏକ ପ୍ରାଚୀନ ସିନେଗଗ୍ରେ ଆକ୍ରମଣ ପରେ ନିଆଁ ଲାଗିଯାଇଥିଲା । ଆହତ ଲୋକମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ପୋଲିସ ଅଧିକାରୀ । ଆକ୍ରମଣ ପରେ ଜଣେ ସନ୍ଦିଗ୍ଧ ଗାଡ଼ିରେ ବସି ଫେରାର୍ ହୋଇଯାଇଥିଲେ । ବର୍ତ୍ତମାନ ପୋଲିସ ତାଙ୍କୁ ଖୋଜାଖୋଜି କରୁଛି । କିଛି ରିପୋର୍ଟରେ କୁହାଯାଇଛି ଯେ ଆକ୍ରମଣକାରୀଙ୍କ ଉପରେ ମଧ୍ୟ ଗୁଳି ଚଳାଯାଇଥିଲା, ଯେଉଁଥିରେ ୬ ଜଣ ଆତଙ୍କୀ ନିହତ ହୋଇଛନ୍ତି ।