ଆଲ୍‌ମିରା ପଛରେ ବଙ୍କର…; କୁଲଗାମରେ ଆତଙ୍କବାଦୀଙ୍କ ସିକ୍ରେଟ୍‌ ଆଡ୍ଡା ଠାବ, ଯବାନ ଆଶ୍ଚର୍ଯ୍ୟ

ଜମ୍ମୁ-କାଶ୍ମୀରର କୁଲଗାମରେ ସର୍ଚ୍ଚ ଅପରେସନ ବେଳେ ଭାରତୀୟ ସେନା ଆତଙ୍କବାଦୀଙ୍କ ବଙ୍କର ଠାବ କରିଛି । ସେନା, ଜମ୍ମୁ-କାଶ୍ମୀର ପୋଲିସ ଏବଂ ସିଆର୍‌ପିଏଫ୍‌ର ମିଳିତ ଫୋର୍ସ ଆତଙ୍କବାଦୀଙ୍କର ଏହି ସିକ୍ରେଟ୍‌ ଠିକଣା ଖୋଜି ବାହାର କରିବା ସହ ଏହାକୁ ନଷ୍ଟ ମଧ୍ୟ କରିଦେଇଛି । ଗତକାଲି ସୁରକ୍ଷା ବାହିନୀ କୁଲଗାମରେ ହିଜବୁଲ୍‌ ମୁଜାହିଦ୍ଦୀନର ୬ ଆତଙ୍କବାଦୀଙ୍କୁ ନିପାତ କରିଛି । ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳି ବିନିମୟରେ ୨ ଜଣ ଯବାନ ମଧ୍ୟ ଶହୀଦ ହୋଇଛନ୍ତି ।

ତେବେ ଆତଙ୍କବାଦୀମାନେ ଏଠାରେ ସୁରକ୍ଷା ବାହିନୀଠାରୁ ବର୍ତ୍ତିବା ପାଇଁ ଆଲମିରା ପଛରେ ବଙ୍କର ତିଆରି କରି ରହୁଥିଲେ । ସେମାନଙ୍କର ଏହି ସିକ୍ରେଟ୍‌ ଆଡ୍ଡାର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆତଙ୍କବାଦୀମାନେ ଲୁଚିବା ପାଇଁ କେତେ ଯୋଗାଡ଼ କରି ଏହି ବଙ୍କର ତିଆରି କରିଥିବେ, ତାହା ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ।

ଏକ କୋଠରୀ ଭିତରେ ଆଲ୍‌ମିରା ରହିଛି ଏବଂ ଆଲ୍‌ମିରା ଡ୍ରୟାର୍‌ ପଛପଟେ ଲୁଚିବା ପାଇଁ ଏକ ବିରାଟ ଜାଗା ତିଆରି ହୋଇଛି । ଆତଙ୍କବାଦୀଙ୍କର ଏହା ଥିଲା ସିକ୍ରେଟ୍‌ ବଙ୍କର, ଯାହାକୁ ଖୋଜି ପାଇବା କଷ୍ଟକର । ଯେତେବେଳେ ସୁରକ୍ଷା ବାହିନୀ ସେମାନଙ୍କ ଉପରେ ଚାପ ପକାଉଥିଲେ, ସେମାନେ ଏହି ବଙ୍କର ଭିତରେ ସହଜରେ ଲୁଚି ଯାଉଥିଲେ ଏବଂ ସେମାନଙ୍କ ସୁରାକ୍‌ ସୁଦ୍ଧା ମିଳିପାରୁ ନ ଥିଲା ।

ଜମ୍ମୁ-କାଶ୍ମୀର ପୋଲିସ ଅନୁସାରେ, ଦକ୍ଷିଣ କାଶ୍ମୀର ଜିଲ୍ଲାର ମୋଦରଗାମ ଗାଁରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୁରକ୍ଷା ବାହିନୀ ଜାଣିବାକୁ ପାଇଥିଲା । ଏହାପରେ ଅଞ୍ଚଳକୁ ଘେରାଉ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଆତଙ୍କବାଦୀମାନେ ଘଞ୍ଚ ସେଓ ବଗିଚା ଭିତରେ ଲୁଚି ରହିଥିଲେ । ସେମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇବା ପରେ ଉଭୟ ପଟୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା ।

ଆତଙ୍କୀଙ୍କ ଗୁଳିରେ ସେନାର ଜଣେ ଯବାନ ଶହୀଦ ହୋଇଥିଲେ । କୁଲଗାମର ଫ୍ରିସଲ ଚିନ୍ନିଗମ ଅଞ୍ଚଳରେ ମଧ୍ୟ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଉଭୟ ଜାଗାରେ ହୋଇଥିବା ସଂଘର୍ଷରେ ୬ ଜଣ ଆତଙ୍କୀ ନିପାତ ହୋଇଥିବା ବେଳେ ୨ ଜଣ ଯବାନ ଶହୀଦ ହୋଇଥିଲେ ।

You might also like