ନୈତିକ ମୂଲ୍ୟବୋଧ ଉଲ୍ଲଂଘନ ଅଭିଯୋଗରେ ବୁଧବାର ଥାଇଲାଣ୍ଡର ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀ ଶ୍ରେଥା ଥାଭିସିନ୍ଙ୍କୁ ପଦରୁ ହଟାଇ ଦେଇଛନ୍ତି । କୋର୍ଟ ଏକ ସପ୍ତାହ ପୂର୍ବରୁ ସେଠାକାର ମୁଖ୍ୟ ବିରୋଧୀ ଦଳକୁ ଭଙ୍ଗ କରିବାକୁ ଆଦେଶ ଦେଇଥିଲେ । ଏହି ଦୁଇଟି ଘଟଣାକ୍ରମ ପରେ ଥାଇ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି ।
ପ୍ରଧାନମନ୍ତ୍ରୀ ଶ୍ରେଥା ତାଙ୍କ ମନ୍ତ୍ରୀମଣ୍ଡଳରେ ଏମିତି ଜଣେ ସଦସ୍ୟଙ୍କୁ ନିଯୁକ୍ତ କରିଥିଲେ, ଯିଏ ବିଚାରପତିଙ୍କୁ ଲାଞ୍ଚ ଦେବା ମାମଲାରେ ଜେଲ ଯାଇଥିଲେ । ଶ୍ରେଥା ଥାଭିସିନ୍ଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କୋଡ୍ ଅଫ୍ ଏଥିକ୍ସ (ନୈତିକ ମୂଲ୍ୟବୋଧ)ର ଉଲ୍ଲଂଘନ ଦର୍ଶାଇ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କାର କରିଛନ୍ତି ।
ଶ୍ରେଥାଙ୍କ ବିରୋଧରେ ନଅ ଜଣିଆ ବିଚାରପତିଙ୍କ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଯେପର୍ଯ୍ୟନ୍ତ ସଂସଦ ନୂଆ ପ୍ରଧାନମନ୍ତ୍ରୀଙ୍କୁ ପଦ ଗ୍ରହଣ କରିବାକୁ ମଞ୍ଜୁରୀ ନ ଦେଇଛି, ସେପର୍ଯ୍ୟନ୍ତ ବର୍ତ୍ତମାନର କ୍ୟାବିନେଟ୍ କାର୍ଯ୍ୟବାହକ ଆଧାରରେ ଅସ୍ତିତ୍ୱରେ ରହିବ । ପ୍ରଧାନମନ୍ତ୍ରୀ ପଦରେ ନୂତନ ବ୍ୟକ୍ତିଙ୍କ ନିଯୁକ୍ତି ପରେ କ୍ୟାବିନେଟରେ ପରିବର୍ତ୍ତନ ହୋଇପାରେ ।
ନୂଆ ପ୍ରଧାନମନ୍ତ୍ରୀଙ୍କୁ ବାଛିବା ପାଇଁ ସଂସଦ ପାଖରେ କୌଣସି ସମୟ ସୀମା ରଖି ନାହାନ୍ତି କୋର୍ଟ । ଏପ୍ରିଲରେ ମନ୍ତ୍ରୀମଣ୍ଡଳ ଅଦଳବଦଳରେ ଶ୍ରେଥା ଥାଭିସିନ୍ ପିଚିଟ୍ ଚୁଏନବାନଙ୍କୁ ମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ, ଯିଏକି ପେସାରେ ଥିଲେ ଜଣେ ଓକିଲ ।