କୋଭାକ୍ସିନ୍‌କୁ ଆଉ ଏକ ସଫଳତା: ଅଷ୍ଟ୍ରେଲିଆ ସରକାର ଦେଇ ଦେଲେ ମାନ୍ୟତା; ଏବେ ବିନା ଦ୍ୱିଧାରେ କରି ପାରିବେ ଯାତ୍ରା

ଭାରତ ବାୟୋଟେକର କୋଭାକ୍ସିନ୍‌କୁ ମିଳିଛି ଆଉ ଏକ ସଫଳତା। ଭାରତରେ ତିଆରି ହୋଇଥିବା ଏହି କରୋନା ଟିକାକୁ ଯଦିଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତରଫରୁ ଏ ପର୍ଯ୍ୟନ୍ତ ମଞ୍ଜୁରି ମିଳି ନାହିଁ, କିନ୍ତୁ ଅଷ୍ଟ୍ରେଲିଆ ସରକାର ଏହାକୁ ମାନ୍ୟତା ପ୍ରଦାନ କରି ଦେଇଛନ୍ତି। ଭାରତରେ ଅଷ୍ଟ୍ରେଲିଆର ହାଇ କମିଶନର ବ୍ୟାରୀ ଓ’ଫେରେଲ ଏଓ ଏ ନେଇ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଯାତ୍ରୀମାନଙ୍କର ଟିକାକରଣ ସ୍ଥିତି ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆ ସରକାର ଭାରତ ବାୟୋଟେକର କୋଭାକ୍ସିନ୍‌କୁ ମାନ୍ୟତା ଦେଇଛନ୍ତି। ଏହାର ଅର୍ଥ ହେଉଛି, ଏବେ କୌଣସି ବି ଯାତ୍ରୀ, ଯେଉଁମାନେ କୋଭାକ୍ସିନ୍‌ ଡୋଜ୍‌ ନେଇ ସାରିଛନ୍ତି, ସେମାନେ ବିନା ଦ୍ୱିଧାରେ ଅଷ୍ଟ୍ରେଲିଆ ଯାତ୍ରା କରି ପାରିବେ।

ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋମରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ କହିଛନ୍ତି କି, ଭାରତ ଆଗାମୀ ବର୍ଷ ଶେଷ ସୁଦ୍ଧା ୫ ବିଲିୟନ ଟିକା ଡୋଜ୍‌ ଉତ୍ପାଦନ କରିବା ପାଇଁ ପ୍ରସ୍ତୁତ ରହିଛି। ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳା ପ୍ରଧାନମନ୍ତ୍ରୀଙ୍କ ତରଫରୁ ବୟାନ ରଖି କହିଛନ୍ତି, ଏହି ଟିକାକରଣର ମାତ୍ରା ବ୍ୟାପକ ପରିମାଣରେ ସାରା ବିଶ୍ୱକୁ ଉପଲବ୍ଧ କରାଯିବ। ଏଥି ସହିତ ସେ କହିଥିଲେ କି, ଆମେ ଏହା ମଧ୍ୟ ଆଶା ରଖୁଛୁ ଯେ କୋଭାକ୍ସିନ୍‌ ପାଇଁ WHOର ଜରୁରିକାଳୀନ ଉପଯୋଗ ପ୍ରାଧିକରଣ ଅନ୍ୟ ଦେଶମାନଙ୍କୁ ସାହାଯ୍ୟ କରିବାର ଏହି ପ୍ରକ୍ରିୟାକୁ ସମ୍ମାନିତ କରିବ।

କୋଭାକ୍ସିନକୁ ହାଇଦ୍ରାବାଦର ଭାରତ ବାୟୋଟେକ କମ୍ପାନୀ ବିକଶିତ କରିଛି। ୯ ଜୁଲାଇରେ ପ୍ରଥମ ଥର ଭ୍ୟାକ୍ସିନ୍‌ ସହ ସମ୍ବନ୍ଧିତ ତଥ୍ୟ WHOକୁ ପଠା ଯାଇଥିଲା ଏବଂ ଭ୍ୟାକ୍ସିନ୍‌ର ଜରୁରୀ ବ୍ୟବହାର ପାଇଁ ଅନୁମୋଦନ ମଗା ଯାଇଥିଲା। ଏହି ପ୍ରକ୍ରିୟାରେ ଅତି ବେଶିରେ ୬ ରୁ ୯ ସପ୍ତାହର ସମୟ ଲାଗିଥାଏ। ଅର୍ଥାତ୍‌ ଯଦି କୌଣସି କମ୍ପାନୀ ଆଜି ନିଜ ଭ୍ୟାକ୍ସିନ୍‌ର ତଥ୍ୟ ଜମା କରୁଛି, ତା’ ହେଲେ WHO ୬ ରୁ ୯ ସପ୍ତାହ ଭିତରେ ଏହା ଜଣାଇ ଦେବ କି, ସେହି ଭ୍ୟାକ୍ସିନ୍‌କୁ ଜରୁରୀ ବ୍ୟବହାର ଲାଗି ମଞ୍ଜୁରି ମିଳିବ କି ନାହିଁ। ଏହି ହିସାବରେ କୋଭାକ୍ସିନ୍‌କୁ ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସ ସୁଦ୍ଧା ବ୍ୟବହାର କରିବା ଲାଗି ଅନୁମତି ମିଳି ଯିବାର ଥିଲା। କିନ୍ତୁ ଏହାରି ଭିତରେ ୧୧୧ ଦିନ ବିତି ଯାଇଥିଲେ ସୁଦ୍ଧା ଏ ନେଇ କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ସୂଚନାଥାଉ କି, ଅଷ୍ଟ୍ରେଲିଆ ସରକାରଙ୍କ ତରଫରୁ କୋଭିଶିଲ୍ଡ ଟିକାକୁ ପ୍ରଥମରୁ ହିଁ ମାନ୍ୟତା ମିଳି ସାରିଛି। ଭାରତରେ ୯୦ ପ୍ରତିଶତ ଟିକା କୋଭିଶିଲ୍ଡ ହିଁ ଦିଆଯାଇଛି। ଏହା ବ୍ୟତୀତ ଅଷ୍ଟ୍ରେଲିଆ ସରକାର ଫାଇଜର, ମାଡର୍ନା, ଜନସନ୍‌ ଆଣ୍ଡ ଜନସନ୍‌, ସିନୋଭ୍ୟାକ୍‌, ସିନୋଫାର୍ମ ଆଦିକୁ ମଞ୍ଜୁରି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.