ପୋଷା କୁକୁରକୁ ବାହାରେ ବୁଲାଇ ଆଣିବାକୁ କହିବାରୁ ବାପା, ମା’ଙ୍କୁ ତଣ୍ଟି ଚିପି ମାରିଦେଲା ପୁଅ, ଫିଙ୍ଗିଦେଲା ନଦୀରେ

ବାପାଙ୍କ ସହିତ ଝଗଡ଼ା ପରେ ଇଟାଲିର ଜଣେ ଯୁବକ ଏତେ ରାଗି ଯାଇଥିଲେ ଯେ ଶେଷରେ ବାପା, ମା’ଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ୩୦ ବର୍ଷୀୟ ଏହି ଯୁବକ ହେଉଛନ୍ତି ଜଣେ ବଡି ବିଲ୍ଡର। ତାଙ୍କ ନାଁ ବେନୋ। ସେ ସାଉଥ୍‌ ଟାୟରୋଲରେ ନିଜ ବାପା, ମା’ଙ୍କ ସହ ରହୁଥିଲେ। ବେନୋଙ୍କ ମା’ ଲାରାଙ୍କ ମୃତଦେହ ଇଟାଲିର ଏଡିଜେ ନଦୀରୁ ମିଳିଥିବା ବେଳେ ବାପାଙ୍କ ମୃତଦେହ କିନ୍ତୁ ଏ ପର୍ଯ୍ୟନ୍ତ ଠାବ ହୋଇପାରି ନାହିଁ। ତେବେ ବାପା, ମା’ଙ୍କୁ ହତ୍ୟା କରିଥିବା ବେନୋ ପୋଲିସ ଆଗରେ ସ୍ୱୀକାର କରିଛନ୍ତି।

ସୂଚନା ମୁତାବକ, ଘରର ପୋଷା କୁକୁରକୁ ବାହାରେ ବୁଲାଇ ଆଣିବାକୁ କହିବାରୁ ବେନୋ ତାଙ୍କ ବାପାଙ୍କ ଉପରେ ଭୀଷଣ ରାଗି ଯାଇଥିଲେ। ସେ କୁକୁରକୁ ବୁଲାଇ ପାରିବେ ନାହିଁ ବୋଲି ମନା କରି ଦେଇଥିଲେ। ଏହାକୁ ନେଇ ବାପା, ପୁଅଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ବେନୋଙ୍କ ବାପା ତାଙ୍କୁ ଜଣେ ଅସଫଳ ମଣିଷ ବୋଲି କହିଥିଲେ। ତେବେ ବେନୋ ଶାନ୍ତି ଚାହୁଁଥିବାରୁ ସେ ବାପାଙ୍କୁ ଚୁପ୍‌ କରାଇ ଦେଇଥିଲେ। କିନ୍ତୁ ଯେତେବେଳେ ସେ ଗାଳି ଶୁଣି ରୁମ୍‌କୁ ଚାଲି ଯାଉଥିଲେ, ସେତେବେଳେ ବାପା ମଧ୍ୟ ତାଙ୍କ ପଛେ ପଛେ ଯାଇଥିଲେ। ବେନୋ ରୁମ୍‌କୁ ଯାଇ ଶୋଇବାକୁ ଚେଷ୍ଟା କରୁଥିଲା ବେଳେ ବାପା ତାଙ୍କୁ ବାରମ୍ବାର ଉଠାଉଥିଲେ ଏବଂ କହୁଥିଲେ, ନିଜ ଭାଗ ଘର କାମ ସାରିଦେବା ଉଚିତ।

ତେବେ ବେନୋଙ୍କ କହିବା ଅନୁଯାୟୀ, ସେ ରାଗରେ ହଲ୍‌କୁ ଯାଇଥିଲେ। ସେଠି ପ୍ଲାଷ୍ଟିକ୍‌ ଟ୍ରେରୁ ରଶି ଉଠାଇଥିଲେ ଏବଂ ସେଥିରେ ବାପାଙ୍କୁ ବାନ୍ଧିବାକୁ ଚେଷ୍ଟା କରିଥିଲେ। ଏହି ପ୍ରୟାସ ବେଳେ ଦୁଇଜଣ ଯାକ ତଳେ ପଡ଼ିଯାଇଥିଲେ। ଏତିକି ବେଳେ ସେ ଧରିଥିବା ରଶିରେ ବାପାଙ୍କ ତଣ୍ଟି ଚିପି ଦେଇଥିଲେ। ଏହାର କିଛି ସମୟ ପରେ ମା’ ଘରେ ପହଞ୍ଚିଥିଲେ। ସେ ତାଙ୍କୁ ମଧ୍ୟ ତଣ୍ଟି ଚିପି ହତ୍ୟା କରିଥିଲେ। ବେନୋ କହିଥିଲେ କି, ମୁଁ ମା’ଙ୍କୁ କିଛି କହି ନ ଥିଲି। ଯେତେବେଳେ ସେ ଘରକୁ ଆସିଥିଲେ, ତ ଆମେ କେବଳ ପରସ୍ପରକୁ ଚାହିଁଥିଲୁ ଏବଂ ଏହାପରେ ମୁଁ ତାଙ୍କୁ ବି ତଣ୍ଟି ଚିପି ମାରିଦେଇଥିଲି। ଏହାପରେ ମୃତଦେହକୁ ନେଇ ନଦୀରେ ଫିଙ୍ଗି ଦେଇଥିଲି। ତେବେ ଏହି ଘଟଣାରେ ପୋଲିସ ବେନୋଙ୍କୁ ଗିରଫ କରି ନେଇଥିବା ବେଳେ ବର୍ତ୍ତମାନ ସେ ବୋଲଜାନୋ ଜେଲରେ ଅଛନ୍ତି।

You might also like