ବ୍ରିଟିଶ ସରକାର ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ଜାରି କଲେ ୫ ପାଉଣ୍ଡର ନୂଆ କଏନ, ଯେଉଁଥିରେ ରହିଛି ଭାରତ ସହ ଜଡ଼ିତ ପ୍ରତୀକ ଚିହ୍ନ

ଦୀପାବଳି ଅବସରରେ ଭାରତର ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମନେ ପକାଇଛି ବ୍ରିଟେନ। ଏହି ଶୁଭ ଦିନରେ ବ୍ରିଟିଶ ସରକାର ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ୫ ପାଉଣ୍ଡର ଏକ ନୂଆ କଏନ ଜାରି କରିଛନ୍ତି। ଏହା ଉପରେ ଭାରତର ଜାତୀୟ ଫୁଲ ମଧ୍ୟ ଅଙ୍କିତ ହୋଇଛି। ଏହାକୁ ‘ରୟାଲ ମିଣ୍ଟ ଦିଓ୍ଵାଲି କଲେକ୍ସନ’ ରୂପେ ଜାରି କରାଯାଇଛି। କଏନ୍‌ ବ୍ୟତୀତ ଦୀପାବଳି ଅବସରରେ ସୁନା ବିସ୍କୁଟ ମଧ୍ୟ ଜାରି କରାଯାଇଛି, ଯାହା ଉପରେ ମା’ ଲକ୍ଷ୍ମୀଙ୍କର ଚିତ୍ର ରହିଛି। ମହାତ୍ମା ଗାନ୍ଧୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜାରି କରାଯାଇଥିବା ଏହି କଏନ୍‌ ବିଷୟରେ ଏତିକି କୁହାଯିବ କି, ଦୀପାବଳି ବି ଅଛି, ଏହା ସହିତ ଚଳିତ ବର୍ଷ ଭାରତ ମଧ୍ୟ ନିଜ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଛି।

ସୁନା ଓ ଚାନ୍ଦିର ବିକଳ୍ପ

ଏହି କଏନ୍‌କୁ ଲୋକେ ନିଜ ସୁବିଧା ହିସାବରେ ସୁନା କିମ୍ବା ଚାନ୍ଦି ବିକଳ୍ପ ରୂପରେ ବାଛି ପାରିବେ। ଏହାକୁ ହିନା ଗ୍ଲୋଭର ଡିଜାଇନ୍‌ କରିଛନ୍ତି। କଏନରେ ଭାରତର ଜାତୀୟ ଫୁଲ ପଦ୍ମର ଚିତ୍ର ଅଙ୍କିତ ହୋଇଛି। ଏଥି ସହିତ ମହାତ୍ମା ଗାନ୍ଧୀଙ୍କ କଥନ ‘ମୋ ଜୀବନ ହିଁ ମୋ ସନ୍ଦେଶ’ ଲେଖା ହୋଇଛି। ଭାରତ ଓ ବ୍ରିଟେନ ମଧ୍ୟରେ ସାଂସ୍କୃତିକ ରୂପରେ କେତେକ ସମାନତା ରହିଛି, ଯେପରି ଗଣତନ୍ତ୍ର ଓ ଜୀବନ, ଏହି ଦୁଇଟି ସ୍ତରରେ ସମାନତା ଦେଖାଯାଇ ପାରିବ। ତେବେ ପ୍ରଥମ ଥର ପାଇଁ ବ୍ରିଟେନ ମହାତ୍ମା ଗାନ୍ଧୀଙ୍କ ଉପରେ କୌଣସି ପ୍ରତୀକାତ୍ମକ ଚିହ୍ନ ଜାରି କରିଛି।

ଦୀପାବଳିର ସଂଯୋଗ

ଏହି କଏନକୁ ଭାରତୀୟ ମୂଳ ଚାନ୍ସଲର ତଥା ବୋରିସ୍‌ ଜନସନ ସରକାରରେ ମନ୍ତ୍ରୀ ରିଷି ସୁନକ ଜାରି କରିଛନ୍ତି। ସୁନକ ବିନା ଦ୍ୱିଧାରେ ଏହା ସ୍ୱୀକାର କରିଛନ୍ତି କି, ସେ ଜଣେ ହିନ୍ଦୁ ଏବଂ ଦୀପାବଳି ପର୍ବ ଅବସରରେ ଏହି କଏନ ଜାରି କରାଯିବା ବହୁତ ଖାସ୍‌ ହୋଇଥାଏ। ମହାତ୍ମା ଗାନ୍ଧୀଙ୍କ ବିଷୟରେ ସୁନକ କହିଛନ୍ତି ଯେ ଏହି କଏନ ଏମିତି ଜଣେ ନେତା ତଥା ଅଦ୍ଭୁତ ବ୍ୟକ୍ତିଙ୍କୁ ମନେ ପକାଉଛି, ଯିଏ ବିଶ୍ୱରେ କୋଟି କୋଟି ଲୋକଙ୍କୁ ପ୍ରଭାବିତ କରିଛନ୍ତି ଏବଂ ସେମାନଙ୍କୁ ଶାନ୍ତିରେ ଜୀବନ ବିତାଇବାର ସିଦ୍ଧାନ୍ତ ଶିଖାଇଛନ୍ତି। ସୁନକ କହିଥିଲେ କି, ଜଣେ ହିନ୍ଦୁ ହୋଇଥିବା କାରଣରୁ ଦୀପାବଳି ଅବସରରେ ଏହି କଏନ ଜାରି କରିବାରେ ବହୁତ ଗର୍ବ ଅନୁଭବ କରୁଛି। ମହାତ୍ମା ଗାନ୍ଧୀ ଭାରତକୁ ସ୍ୱାଧୀନତା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲେ। ଆମେ ବ୍ରିଟିଶର୍ସ ଏହି ମଉକାକୁ ଏଭଳି ଭାବେ ସ୍ମରଣୀୟ କରିବାକୁ ଚାହିଁଥିଲୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.