ନନ୍ଦୀଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣ, ଅଭିଯୋଗ ଆଣି ଶୁଭେନ୍ଦୁ କହିଲେ, ଏଠି ଟିଏମ୍‌ସିର ଜଙ୍ଗଲରାଜ ଚାଲିଛି

ପଶ୍ଚିମବଙ୍ଗରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ଏହାରି ଭିତରେ ନନ୍ଦୀଗ୍ରାମରେ ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଶୋଭାଯାତ୍ରା ଉପରେ ପଥରମାଡ଼ ହୋଇଛି। ଏଥିରେ ଶୁଭେନ୍ଦୁଙ୍କ ଗାଡ଼ିକୁ କୌଣସି କ୍ଷତି ପହଞ୍ଚି ନ ଥିବା ବେଳେ ଶୋଭାଯାତ୍ରାରେ ରହିଥିବା ଅନ୍ୟ କେତେକ ଗାଡ଼ିକୁ କ୍ଷତି ପହଞ୍ଚିଛି।

ଏହି ଘଟଣାରେ ଶୁଭେନ୍ଦୁ ଅଧିକାରୀ ଅଭିଯୋଗ ଆଣି କହିଛନ୍ତି କି, ପଶ୍ଚିମବଙ୍ଗରେ ଜଙ୍ଗଲରାଜ ଚାଲିଛି। ଟିଏମ୍‌ସି ଏଠାରେ ବାଂଲାଦେଶ ନାରା ସହିତ ବିଜୟ ହାସଲ କରିବାକୁ ଚାହୁଁଛି। ବଙ୍ଗ ଭାଜପା ଅଧ୍ୟକ୍ଷ ଦିଲୀପ ଘୋଷଙ୍କ କହିବା ହେଲା, ଟିଏମ୍‌ସି ତରଫରୁ ଲଗାତାର ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରାଯାଇ ଆସୁଛି। କିନ୍ତୁ ପାର୍ଟି ତାଙ୍କ ସହିତ ସବୁବେଳେ ଛିଡ଼ା ହୋଇଛି।

କହି ରଖୁଛୁ, ଏଥର ନନ୍ଦୀଗ୍ରାମ ଆସନରେ ଶୁଭେନ୍ଦୁ ଅଧିକାରୀ ଓ ମମତା ବାନାର୍ଜୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏହି କାରଣରୁ ଏଠାରେ କଣ୍ଟାର ଟକ୍କର ଚାଲିଛି। ଗୁରୁବାର ସକାଳୁ ହିଁ ନନ୍ଦୀଗ୍ରାମର ବିଭିନ୍ନ ଅଞ୍ଚଳରୁ ହିଂସା ଘଟଣା ସାମ୍ନାକୁ ଆସୁଛି। ସେପଟେ ଶୁଭେନ୍ଦୁ ଅଧିକାରଙ୍କ ବ୍ୟତୀତ ପଶ୍ଚିମବଙ୍ଗର କେଶପୁରରେ ବି ଭାଜପା ପ୍ରାର୍ଥୀ ପ୍ରୀତିଶ ରଞ୍ଜନଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣ କରାଯାଇଛି। ଏଠି ମଧ୍ୟ ପ୍ରାର୍ଥୀଙ୍କ ଗାଡ଼ି ଉପରକୁ ପଥରମାଡ଼ ହୋଇଛି।