ଦେଶ ପାଳୁଛି ୭୮ତମ ସ୍ବାଧୀନତା ଦିବସ, ଲାଲ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୭୮ତମ ସ୍ବାଧୀନତା ଦିବସ । ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇଛି ସାରା ଦେଶ। ସବୁଠି ସ୍ୱତନ୍ତ୍ରତାର ଏହି ଦିନକୁ ନେଇ ଉତ୍ସାହର ମାହୋଲ ଦେଖାଦେଇଛି । ଆଜି ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ । ପତାକା ଉତ୍ତୋଳନ କରି ଦେଶକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କର ଏହା ୧୧ତମ ସ୍ବାଧୀନତା ଦିବସ ଭାଷଣ ହେବ । ତାପୂର୍ବରୁ ପ୍ରଧାନମନ୍ତ୍ରୀ ରାଜଘାଟ ଯାଇ ମହାତ୍ମାଗାନ୍ଧିଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଏଥର ସ୍ବାଧୀନତା ଦିବସର ଥିମ୍ ରହିଛି ବିକଶିତ ଭାରତ @2047 । ଅର୍ଥାତ ଦେଶ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର କରିବା ଲକ୍ଷ୍ୟ ରଖିଛନ୍ତି ସରକାର। ଲାଲ କିଲ୍ଲାରେ ସ୍ବାଧୀନତା ଦିବସର ୬ ହଜାର ସ୍ବତନ୍ତ୍ର ଅତିଥି । ଏମାନଙ୍କ ଭିତରେ ସରକାରଙ୍କ ବିଭିନ୍ନ ଯୋଜନାର ଲାଭାର୍ଥୀ ଅଛନ୍ତି। ଉତ୍ସବର ଅନ୍ୟତମ ଆକର୍ଷଣ ହେବ ଗାର୍ଡ ଅଫ ଅନର ଏବଂ ୨୧ ଗନ ସାଲୁଟ୍।
ଭାରତୀୟ ଏୟାର ଫୋର୍ସ ହେଲିକପ୍ଟର ଆକାଶ ମାର୍ଗରୁ ପୁଷ୍ପ ବୃଷ୍ଟି କରିବ । ସ୍ବାଧୀନତା ଦିବସ ପାଇଁ ଦିଲ୍ଲୀ ଏବଂ ବିଶେଷ କରି ଲାଲ୍ କିଲ୍ଲା ସୁରକ୍ଷାର ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି । ଜଳ, ସ୍ଥଳ ଏବଂ ଆକାଶ ମାର୍ଗରେ କଡ଼ାକଡ଼ି କରାଯାଇଛି ସୁରକ୍ଷା । ୧୦ ହଜାରରୁ ଅଧିକ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । AI କ୍ୟାମେରା, ଅତ୍ୟାଧୁନିକ ସିସିଟିଭି ଏବଂ ଡୋର ଫ୍ରେମ୍ ମେଟାଲ ଡିଟେକ୍ଟର ଲାଗିଛି ।