ଛାତିଥରା ଦୁର୍ଘଟଣା: ବାନ୍ତି କରିବା ପାଇଁ ଚଳନ୍ତା ବସ୍‌ ଝରକାରୁ ଝୁଙ୍କିଥିଲା ନାବାଳିକା, ଟ୍ରକ୍‌ ସହ ଘଷି ହୋଇ କଟିଗଲା ମୁଣ୍ଡ

ମଧ୍ୟ ପ୍ରଦେଶର ଖଣ୍ଡଓ୍ଵା ଜିଲାରେ ଏମିତି ଏକ ଭୟାନକ ଦୁର୍ଘଟଣା ଘଟିଛି, ଦେଖିଥିବା ଲୋକର ହିଁ ଲୋମ ଟାଙ୍କୁରି ଯାଇଛି। ଦାୟିତ୍ୱହୀନତା ଯୋଗୁ ଜଣେ ୧୩ ବର୍ଷୀୟା ନାବାଳିକାର ଜୀବନ ଚାଲିଯାଇଛି। ଚଳନ୍ତା ବସ୍‌ ଝରକାରୁ ମୁଣ୍ଡ ବାହାର କରିଥିବା ବେଳେ ସାମ୍ନାରୁ ଆସୁଥିବା ଏକ ଟ୍ରକ୍‌ ତାଙ୍କ ସହ ଘଷି ହୋଇଯାଇଥିଲା। ଫଳରେ ନାବାଳିକାଙ୍କ ମୁଣ୍ଡ କଟି ରାସ୍ତା ଉପରେ ପଡ଼ିଥିଲା। ତେବେ ନାବାଳିକା ଜଣକ ବାନ୍ତି କରିବା ପାଇଁ ଝରକାରୁ ମୁଣ୍ଡ ବାହାର କରିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି।

ଅତିରିକ୍ତ ପୋଲିସ ଅଧୀକ୍ଷକ(ASP) ସୀମା ଅଲାଓ୍ଵା କହିଛନ୍ତି, ଏହି ଦୁର୍ଘଟଣା ମଙ୍ଗଳବାର ସକାଳ ପାଖାପାଖି ୯ଟା ୩୦ ମିନିଟ୍‌ରେ ଇନ୍ଦୋର-ଇଚ୍ଛାପୁର ହାଇେଓ୍ଵରେ ଘଟିଛି। ASPଙ୍କ ସୂଚନା ମୁତାବକ, ମୃତାଙ୍କ ପରିଚୟ ମିଳିଛି। ତାଙ୍କ ନାଁ ତମନ୍ନା, ଘର ଖଣ୍ଡଓ୍ଵାରେ। ଦୁର୍ଘଟଣା ସମୟରେ ତମନ୍ନାଙ୍କ ସହିତ ତାଙ୍କ ମା’ ରୁଖସାନା ଓ ବଡ଼ ଭଉଣୀ ହାନୀ ବି ଉକ୍ତ ବସ୍‌ରେ ଥିଲେ। ତିନିଜଣ ଖଣ୍ଡଓ୍ଵାରୁ ନିଜ ସମ୍ପର୍କୀୟଙ୍କ ଘର ବଡଓ୍ଵାହ ଯାଉଥିଲେ।

ଯାତ୍ରା ସମୟରେ ବାନ୍ତି କରିବା ପାଇଁ ତମନ୍ନା ଯେମିତି ହିଁ ଝରକାରୁ ମୁଣ୍ଡ ବାହାର କରିଥିଲେ, ସାମ୍ନାରୁ ଆସୁଥିବା ଏକ ଟ୍ରକ୍‌ ସହ ତାଙ୍କ ମୁଣ୍ଡ ଜୋର୍‌ରେ ମାଡ଼ ହୋଇଥିଲା। ଫଳରେ ମୁଣ୍ଡର ଉପରି ଭାଗ କଟି ଅଲଗା ହୋଇଯାଇଥିଲା ଏବଂ ତାଙ୍କର ମୃତ୍ୟୁ ଘଟିଥିଲା। ASPଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୋଲିସ ଜବତ କରିଛି। କିନ୍ତୁ ଚାଳକ ଫେରାର୍‌ ହୋଇଯାଇଛନ୍ତି। ବ୍ୟବଚ୍ଛେଦ ପରେ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.