ସେଲ୍ଫି ନେବା ବରକୁ ପଡ଼ିଲା ମହଙ୍ଗା! ଚଳନ୍ତା କାରରେ ଛିଡ଼ା ହୋଇ ଉଠାଉଥିଲେ ଫଟୋ…କଟିଗଲା ୨ ଲକ୍ଷ ଟଙ୍କାର ଚାଲାଣ

ବରଯାତ୍ରୀ ଶୋଭାଯାତ୍ରା ସମୟରେ ଚଳନ୍ତା କାର୍‌ରେ ଛିଡ଼ା ହୋଇ ସେଲ୍ଫି ନେବା ଖୋଦ୍‌ ବରକୁ ମହଙ୍ଗା ପଡ଼ିଛି। ବର ଜଣକ ଏତେ ଖୁସି ଥିଲା ଯେ ଚଳନ୍ତା କାର୍‌ରେ ଛିଡ଼ା ହୋଇ ସେଲ୍ଫି ନେବାରେ ଲାଗିଥିଲା। ଏତିକି ନୁହେଁ, ଅନ୍ୟ ବରଯାତ୍ରୀମାନେ, ଯେଉଁମାନେ ଅଲଗା ଗାଡ଼ିରେ ଥିଲେ, ସେମାନେ ମଧ୍ୟ ଚଳନ୍ତା ଗାଡ଼ି ଉପରେ ଛିଡ଼ା ହୋଇ ଡ୍ୟାନ୍ସ କରିବାରେ ଲାଗିଥିଲେ। ଘଟଣା ଘଟିଛି ଉତ୍ତର ପ୍ରଦେଶରେ, ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି।

ବରଯାତ୍ରୀ ଶୋଭାଯାତ୍ରା ସମୟର ଏହି ଭିଡିଓକୁ କେହି ଜଣେ ସୋସିଆଲ ମିଡିଆରେ ଅପ୍‌ଲୋଡ କରି ଦେଇଥିଲା। ଆଉ ଏହାପରେ ଯାହା ଘଟିଥିଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାହିଁକି ନା, ଏହି ଘଟଣାରେ ସମସ୍ତଙ୍କୁ ମିଳିଥିଲା ଉଚିତ ଶିକ୍ଷା। ଭାଇରାଲ ଭିଡିଓରେ ଆପଣ ଦେଖି ପାରିବେ ଯେ କେତେ ଗୁଡ଼ିଏ ଗାଡ଼ି ରାସ୍ତାରେ ଯାଉଛି। ଏଥିରେ ଯେତିକି ଲୋକ ଅଛନ୍ତି, ସମସ୍ତେ ନିଜ ନିଜ ଗାଡ଼ିରୁ ଅଧା ବାହାରି ଛିଡ଼ା ହୋଇଛନ୍ତି। ବରଯାତ୍ରୀଙ୍କ ଭିତରୁ କେହି କେହି ସେଲ୍ଫି ନେଉଥିବା ବେଳେ ଆଉ କେହି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି।

ଭିଡିଓରେ ଏକ ଲାଲ୍‌ ରଙ୍ଗର କାର୍‌ ଦେଖିବାକୁ ମିଳୁଛି, ଯାହାକି ସମ୍ପୂର୍ଣ୍ଣ ଓପନ୍‌ କାର୍‌, ଆଉ ଏଥିରେ ବର ଜଣକ ଛିଡ଼ା ହୋଇ ସେଲ୍ଫି ନେଉଛି। ସ୍ପଷ୍ଟ ରୂପେ ଦେଖା ଯାଉଛି କି, ସମସ୍ତେ ବାହାଘର ବରଯାତ୍ରୀରେ ଯାଉଛନ୍ତି। ତେବେ ସୂଚନା ମୁତାବକ, ଅଙ୍କିତ କୁମାର ନାମକ ବ୍ୟକ୍ତି ଉତ୍ତର ପ୍ରଦେଶ ଟ୍ରାଫିକ୍‌ ପୋଲିସକୁ ଟ୍ୟାଗ୍‌ କରି ଏହାର ଏକ ଭିଡିଓ ଟ୍ଵିଟ୍‌ କରିଥିଲେ। ଭିଡିଓ ସହିତ ସେ କ୍ୟାପସନ ଲେଖିଥିଲେ ଯେ ‘ହରିଦ୍ୱାରରୁ ନୋଏଡା ଯାତ୍ରା ସମୟରେ ମୁଜାଫରନଗରରେ କିଛି ଲୋକ ଏମିତି ହରକତ କରିଥିଲେ। ସେମାନେ ନିଜର ମନୋରଞ୍ଜନ ପାଇଁ ଅନ୍ୟ ମାନଙ୍କ ଜୀବନକୁ ବିପଦକୁ ଠେଲୁଥିଲେ। ଆଶା କରୁଛି କି, ଟ୍ରାଫିକ୍‌ ପୋଲିସ ଘଟଣାର ତଦନ୍ତ କରୁ’।

ସେପଟେ ଅଙ୍କିତ କୁମାରଙ୍କ ଟ୍ଵିଟ୍‌ ପରେ ବରିଷ୍ଠ ପୋଲିସ ଅଧୀକ୍ଷକ ଅଭିଷେକ ଯାଦବ ନିଜେ ଘଟଣା ବିଷୟରେ ଅବଗତ ହୋଇ ମୁଜାଫରନଗର ଟ୍ରାଫିକ ପୋଲିସକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏସ୍‌ପି ଟ୍ରାଫିକ୍‌ କୁଲଦୀପ ସିଂଙ୍କ ସୂଚନା ମୁତାବକ, ଭିଡିଓ ଆଧାରରେ ୯ଟି ଗାଡ଼ିକୁ ଚିହ୍ନଟ କରାଯାଇଛି ଏବଂ ମାଲିକଙ୍କ ବିରୋଧରେ ୨ ଲକ୍ଷ ଟଙ୍କାର ଚାଲାଣ କଟାଯାଇଛି। ଏହା ଛଡ଼ା ଆଇପିସି ଧାରା ଅନୁସାରେ ସେମାନଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତ ଗାଡ଼ିରେ ଦିଲ୍ଲୀ ରେଜିଷ୍ଟ୍ରେସନ ନମ୍ବର ରହିଛି।