୨୦୦୬ର ବୋରୱେଲ ଘଟଣା ମନେ ପକାଇଦେଲା ତନ୍ମୟ; ସେଦିନ ମୂଷା ପଛରେ ଧାଉଁ ଧାଉଁ ୬୦ ଫୁଟ୍‌ ତଳେ ଖସି ପଡ଼ିଥିଲା ପ୍ରିନ୍ସ…

ମଧ୍ୟ ପ୍ରଦେଶର ବେତୁଲ ଜିଲ୍ଲାର ମଣ୍ଡାଭି ଗ୍ରାମରେ ୪୦୦ ଫୁଟ ଗଭୀର ବୋରୱେଲରେ ଖସି ପଡ଼ିଛି ୮ ବର୍ଷୀୟ ତନ୍ମୟ ସାହୁ। ଇତି ମଧ୍ୟରେ ୪ ଦିନ ବିତି ଗଲାଣି, ୬୨ ଘଣ୍ଟାରୁ ଅଧିକ ସମୟ ହୋଇ ଗଲାଣି, ତଥାପି ଚାଲିଛି ରେସ୍‌କ୍ୟୁ ଅପରେସନ। ଉଦ୍ଧାର ହୋଇପାରି ନାହିଁ ତନ୍ମୟ। ଗତ ୬ ଡିସେମ୍ବର ସନ୍ଧ୍ୟା ପ୍ରାୟ ୫ଟାରେ ତନ୍ମୟ ଚାଷଜମିରେ ଖେଳୁଥିବା ବେଳେ ହଠାତ୍‌ ବୋରୱେଲକୁ ଖସି ପଡ଼ିଥିଲା। ବର୍ତ୍ତମାନ ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି ଯେ ଏବେ ତନ୍ମୟ କୌଣସି ଜବାବ ଦେଉନାହିଁ। ଉଦ୍ଧାରକାରୀ ଦଳ ପାଖାପାଖି ୩୩ ଫୁଟ୍‌ ପର୍ଯ୍ୟନ୍ତ ଖନନ କରି ସାରିଲେଣି। ତେବେ ଏହି ଘଟଣା ୨୦୦୬ରେ ଘଟିଥିବା ପ୍ରିନ୍ସ ଘଟଣାକୁ ପୁଣିଥରେ ମନେ ପକାଇ ଦେଇଛି।

rescue
photo: India.com

୨୦୦୬, ଜୁଲାଇରେ ହରିୟାଣାର କୁରୁକ୍ଷେତ୍ର ଜିଲ୍ଲା ହଲଧେରୀ ଗ୍ରାମରେ ପ୍ରିନ୍ସ (୪) ୬୦ ଫୁଟ ଗଭୀର ବୋରୱେଲକୁ ଖସି ପଡ଼ିଥିଲା। ଏହାପରେ ହରିୟାଣା ପ୍ରଶାସନ ପ୍ରିନ୍ସଙ୍କୁ ଉଦ୍ଧାର କରିବା ପାଇଁ ଏକ ବିରାଟ ଅପରେସନ ଆରମ୍ଭ କରିଥିଲା ଏବଂ ପାଖାପାଖି ୪୮ ଘଣ୍ଟା ପରେ ପ୍ରିନ୍ସଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା।

ପ୍ରିନ୍ସଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ସହାୟତା ରାଶି ମିଳିଥିଲା, ଯେଉଁଥିରେ ସେମାନେ ଏକ ପକ୍କା ଘର ନିର୍ମାଣ କରିଥିଲେ। ଏବେ ପ୍ରିନ୍ସ ୧୭ ବର୍ଷର ହୋଇ ଯାଇଛନ୍ତି। ସେ ନିଜ ଗାଁ ସରକାରୀ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢ଼ୁଛନ୍ତି।

ବର୍ତ୍ତମାନ ଦେଶର ଅନେକ ସ୍ଥାନରେ ଘଟଣାର ପୁନରାବୃତ୍ତି ଦେଖି ୧୭ ବର୍ଷୀୟ ପ୍ରିନ୍ସ ନିଜ ସମୟର କଥାକୁ ମନେ ପକାଇଛନ୍ତି। ସେ କହିଛନ୍ତି, ‘ସେଦିନ ମୁଁ ନିଜ ସାଙ୍ଗ ଅଙ୍ଗରେଜ୍‌ ସହିତ ଏକ ମୂଷା ପଛରେ ଧାଉଁଥିଲି। ହଠାତ୍‌ ମୂଷା ଏକ ଅଖା ତଳେ ଲୁଚି ଯାଇଥିଲା, ଯାହାକି ବୋରୱେଲକୁ ଢ଼ାଙ୍କିବା ପାଇଁ ରଖାଯାଇଥିଲା। ଯେତେବେଳେ ମୁଁ ସେହି ଅଖା ଉପରକୁ କୁଦିଥିଲି, ତ ବୋରୱେଲରେ ଖସି ପଡ଼ିଥିଲି’।

ପ୍ରିନ୍ସ ଆହୁରି କହିଥିଲେ, ‘ବୋରୱେଲ ଭିତରେ ପୂରା ଅନ୍ଧାର ଥିଲା। ମୁଁ ଡରି ଯାଇଥିଲି ଏବଂ କାନ୍ଦିବାକୁ ଲାଗିଲି। କିନ୍ତୁ ମୋ ସାଙ୍ଗ ମୋ ପରିବାରକୁ ସୂଚନା ଦେଇଥିଲା ଏବଂ ସେମାନେ ବୋରୱେଲ ଭିତରେ ମୋ ପାଇଁ ଆଲୋକ, ବିସ୍କୁଟ ଏବଂ ପାଣିର ବ୍ୟବସ୍ଥା କରିଥିଲେ। ମୋ ସାଙ୍ଗ ଏବଂ ପରିବାର ମୋତେ ଜୀବିତ ରଖିବାରେ ସାହାଯ୍ୟ କରିଥିଲେ’।

ସୂଚନାଥାଉ କି, ପ୍ରିନ୍ସଙ୍କ ବାପା ରାମ ଚନ୍ଦର ଜଣେ ଶ୍ରମିକ ଏବଂ ପରିବାରରେ ସେହି ହିଁ ଏକୁଟିଆ ରୋଜଗାରକ୍ଷମ ବ୍ୟକ୍ତି। ଆର୍ଥିକ ଅନଟନ ଯୋଗୁ ପ୍ରିନ୍ସଙ୍କୁ ୨ ବର୍ଷ ତଳେ ଏକ ଘରୋଇ ସ୍କୁଲରେ ଅଧାରୁ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା। ଏବେ କିନ୍ତୁ ସେ ନିଜ ଗାଁ ସରକାରୀ ବିଦ୍ୟାଳୟରେ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.